ଉତ୍ତର ପ୍ରଦେଶ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବଢିଲା ବିବାଦ, ବିଜେପିର ପୂର୍ବ ସାଂସଦ କହିଲେ ଅରବିନ୍ଦ ହୋଇପାରନ୍ତି ନୂଆ ଚେହେରା

174

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଜେପିର ପୂର୍ବତନ ସାଂସଦ ହରିନାରାୟଣ ରାଜଭର ଏବେ ଏକ ଚମକାଇଦେବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କି, ୟୁପି ବିଜେପିର ଉପାଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତର ପ୍ରଦେଶର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କହିରଖୁ କି, ଅରବିନ୍ଦ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ ବୋଲି କୁହାଯାଉଛି । ହରିନାରାୟଣ ୨୦୧୪ ମସିହାରେ ମଓର ଘୋଷୀରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ଏନେଇ ତାଙ୍କର ଆଜି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମଳିଛି କି ତାଙ୍କ ନିକଟରେ ଅରବିନ୍ଦ କୁମାର ଶର୍ମା ଠିଆ ହୋଇଛନ୍ତି ।
ହରିନାରାୟଣ ଯେତେବେଳେ ଏଭଳି ବୟାନ ଦେଉଥିଲେ ପାଖରେ ଠିଆ ହୋଇଥିବା ଅରବିନ୍ଦ କୁମାର ଶର୍ମା କିଛି କହୁ ନଥିଲେ । ଏହି ଭିଡିଓ ଜାନୁଆରୀ ୪ ତାରିଖ ଓ ମଓ ଠାରେ ରାଜଭର ଏଭଳି କଥା କହିଥିବା କଥା କୁହାଯାଉଛି । ରାଜଭର କହିଛନ୍ତି କି ଆଗାମୀ ଦିନରେ ଅରବିନ୍ଦ କୁମାର ଶର୍ମା ୟୁପିର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଓ ସେ ଅରବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
କହିରଖୁ କି, ୟୁପିରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ସବୁ ରାଜନୈତିକ ଦଳମାନେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ହେଲେ ୟୁପି କଥା ବିଚାର କଲେ ସେଠାରେ ଗତ ବିଧାନସଭା ନି ନିର୍ବାଚନ ବିଜେପି ଯୋଗୀଙ୍କ ଚେହେରାରେ ଲଢି ଆଶାତୀତ ସଫଳତା ହାସଲ କରିଥିଲା । ଏହାପରେ ବିଭନ୍ନ ବାଦ ବିବାଦ ଭିତରେ ଆଜି ବି ଯୋଗୀ ସେଠାରେ ଲୋକପ୍ରିୟ ନେତା ଭାବେ ନିଜର ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରଖିଛନ୍ତି । ଏହାସହ ଆଗାମୀ ନିର୍ବାଚନ ପାଇଁ ଯୋଗୀ ବି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏଭଳି ସ୍ଥଳେ ହରିନାରାୟଣ ରାଜଭରଙ୍କ ଏଭଳି ବୟାନ ବିରୋଧୀଙ୍କୁ ଖୋରାକ ଯୋଗାଇଛି ।