ପରିଶ୍ରମ କଲେ , ସଫଳତାର ସ୍ୱାଦ ଚାଖିଲେ ଫୁଡ଼୍ ଡେଲିଭରୀ ବଏ । କମ୍ ସମୟ ଭିତରେ କିଣିଲେ କାର୍ , ନିଜ ରୋଜଗାରରେ ଉଚ୍ଚଶିକ୍ଷା ପାଇଁ ଭରିଲେ ଫିସ୍

188

ସମାଜ ଆମକୁ ଶିଖାଏ ଯେ କୌଣସି ବ୍ୟବସାୟ ବଡ଼ କି ଛୋଟ ନଥାଏ କି ବ୍ୟବସାୟ କରିବାର ବୟସ ନଥାଏ । କିନ୍ତୁ ସେହି ସମାଜ ବ୍ୟକ୍ତିର ପେସା , ବ୍ୟବସାୟକୁ ନେଇ ହିଁ ସମ୍ମାନ ଦିଏ । ଆପଣ ଯଦି କୌଣସି ଫୁଡ୍ ଡେଲିଭରି ବଏଙ୍କୁ ଦେଖନ୍ତି ମନରେ କ’ଣ ପ୍ରଶ୍ନ ଆସେ? ନିହାତିଭାବେ ପ୍ରତିଦିନର ରୋଜଗାରକୁ ନେଇ ପ୍ରଶ୍ନ ଆସୁଥିବ । ଯୁବକଟି କେତେ ରୋଜଗାର କରୁଥିବ , ଘରକୁ କେମିତି ଚଳାଉଥିବ ଇତ୍ୟାଦି, ଇତ୍ୟାଦି । ତେବେ ବେଳେବେଳେ ଏହି ଛୋଟ ବ୍ୟବସାୟ ହିଁ ଭାଗ୍ୟ ବଦଳାଇଦିଏ । ଆମେ ଆଜି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଭାଗ୍ୟ ନିମିଷକ ମାତ୍ରେ ବଦଳିଗଲା ।

୧୯ ବର୍ଷର ଜଣେ ଚୀନ୍ ଯୁବକ ଯାହାଙ୍କ ନାଁ ଝାଓ ଚୁୟାଙ୍ଗ୍ ଫୁଡ୍ ଡେଲିଭରି ବଏ ଭାବରେ କାମ କରିଆସୁଥିଲେ । କିଛି ଦିନ ତଳେ ସୋସିଆଲ୍ ମିଡିଆରେ ସେ ଖୁବ୍ ଭାଇରାଲ୍ ହୋଇଥିଲେ । ୨୦୨୧ ରେ ଏହି ଫୁଡ଼୍ ଡେଲିଭରି ବଏ ଜଣକ ୨୦,୦୦୦ ୟୁଆନ୍ ଭାରତୀୟ ଟଙ୍କା ହିସାବରେ ୨ ,୨୭,୩୦୧ ଟଙ୍କା ସଞ୍ଚୟ କରି ଏକ ଇଲେକ୍ଟ୍ରି କାର୍ କିଣିବାରେ ସଫଳ ହୋଇଥିଲେ । ଖାଲି ଏତିକି ନୁହଁ ଉଚ୍ଚଶିକ୍ଷା ପାଇଁ ଫିସ୍ ବି ପଇଠ କରିଥିଲେ । ଝାଓଙ୍କ ପ୍ରତିଦିନର ରୁଟିନ୍ କହିଲେ ସାଢେ ୬ ଟା ବେଳେ କାମକୁ ବାହାରି ରାତି ୧୧ ଟାରେ ସେ ଘରକୁ ଫେରୁଥିଲେ ଏବଂ ବହୁତ କମ୍ ଛୁଟି ନେଉଥିଲେ । ଝଡ଼ , ବର୍ଷା,ଖରାକୁ ଖାତିର୍ ନକରି ସେ ନିଜ କାମ ପ୍ରତି ସମର୍ପିତ ଥିଲେ । ପରିବାର ମୁଣ୍ଡ ଉପରୁ ଟଙ୍କାର ବୋଝକୁ କମ୍ କରିବା ପାଇଁ ସେ ଲଗାତାର୍ କଠିନ ପରିଶ୍ରମ କରୁଥିଲେ । ଆଜିକାଲିର ଯୁବଗୋଷ୍ଠୀଙ୍କୁ ଝାଓ ଚୁୟାଙ୍ଗ୍ ଙ୍କଠାରୁ କିଛି ଶିଖିବାର ଆବଶ୍ୟକତା ରହିଛି । କୌଣସି କାମକୁ ଛୋଟ ଭାବି ବଡ଼ ବ୍ୟବସାୟର ଅପେକ୍ଷାରେ ରହିଲେ ଭବିଷ୍ୟତ ମଧ୍ୟ ଅପେକ୍ଷାରେ ହିଁ ବିତିଯିବ । ଛୋଟରୁ ଆରମ୍ଭ କଲେ ସଫଳତା ନିଶ୍ଚୟ ପାଦ ଚୁମିବ ।