ୟୁକ୍ରେନର ଖେରସନ ଅଂଚଳରେ ବନ୍ୟା ସ୍ଥିତି: ୬ ଶହ ବର୍ଗ କିଲୋମିଟର ଅଂଚଳ ପାଣି ଘେରରେ

529

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି ୟୁକ୍ରେନର ଖେରସନ ଅଂଚଳ । କାରଣ ଏକ ପୁରୁଣା ଡ୍ୟାମର ବନ୍ଧ ଭାଙ୍ଗିବା ପରେ ଏହି ଅଂଚଳରେ ପାଣି ପଶିଯାଇଛି । ସ୍ଥାନୀୟ ପ୍ରଶାସକଙ୍କ କହିବା ଅନୁସାରେ ପ୍ରାୟ ୬ ଶହ ବର୍ଗ କିଲୋମିଟର ଅଂଚଳରେ ପାଣି ଭରିଯାଇଛି । ସୋଭିଏତ ରୁଷ ଅମଳର ପୁରୁଣା କାଖୋକା ଡ୍ୟାମ ବନ୍ଧ ଭାଙ୍ଗିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଏହି ଡ୍ୟାମର ବନ୍ଧ ଭାଙ୍ଗିଥିବା କୁହାଯାଉଛି । ହେଲେ କିଏ କରିଛି ଏହି କ୍ଷେପଣାସ୍ତ୍ର ମାଡ଼, ତାକୁ ନେଇ ରୁଷ୍ ଓ ୟୁକ୍ରେନ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ରୁଷ୍ କ୍ଷେପଣାସ୍ତ୍ର ମାଡ଼ ପରେ ବନ୍ଧ ଭାଙ୍ଗିଥିଲା ବୋଲି ପ୍ରଥମେ ୟୁକ୍ରେନ ଅଭିଯୋଗ କରିଥିଲା । ଏହାକୁ ରୁଷ୍ ଖଣ୍ଡନ କରିବା ସହ ୟୁକ୍ରେନ ହିଁ ଏପରି କରିଥିବା ପାଲଟା ଅଭିଯୋଗ ଆଣିଛି । ଏସବୁ ଭିତରେ ବନ୍ୟା ପ୍ରଭାବିତ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଗତବର୍ଷ ଫେବ୍ରୁଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଥିଲା । ହେଲେ ଏଯାଏଁ ସମାଧାନର କୌଣସି ରାସ୍ତା ବାହାରି ପାରୁ ନାହିଁ । ସବୁଠୁ ଚିନ୍ତାର ବିଷୟ ହେଲା, କୌଣସି ପକ୍ଷ ଶାନ୍ତି ପାଇଁ ବି ପ୍ରୟାସ କରାଯାଉଥିବା ଦେଖିବାକୁ ମିଳି ନାହିଁ । ଏପରିକି ଆଲୋଚନା ଟେବୁଲକୁ ଫେରିବାର ନାଁ ବି ଧରୁନାହାନ୍ତି । ଏସବୁ ଭିତରେ ଯୁଦ୍ଧ ଜାରି ରହିଛି । ଫଳରେ ୟୁକ୍ରେନରେ ଧ୍ୱଂସର ଲୀଳା ଜାରି ରହିଛି ।