ଶହେ ବର୍ଷ ପରେ ଗାଁ ପାଇଛି ପ୍ରଥମ ମାଟ୍ରିକ୍ ପାସ ଛାତ୍ର: ଦଶମ ପାସ୍ କରି ଆଦିବାସୀ ଗାଁର ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ସିଦ୍ଧାନ୍ତ

1,421

କନକ ବ୍ୟୁରୋ: ଶହେ ବର୍ଷ ପରେ ବଦଳିଛି ଗାଁର ଇତିହାସ । ହୋଟେଲରେ କାମ କରିବା ପାଇଁ ପିଲା ଖୋଜା ପଡିଲେ ମନେପଡୁଥିବା ଅନୁଗୁଳର ପବଲା ଗାଁର ଇତିହାସରେ ଯୋଡି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ୧୦ ଦଶନ୍ଧି ପରେ ଗାଁ ପାଇଛି ମାଟ୍ରିକ ପାସ୍ ଆଦିବାସୀ ଛାତ୍ର ସିଦ୍ଧାନ୍ତ ପ୍ରଧାନ । ଶିକ୍ଷା କ୍ଷେତ୍ରରେ ପଛରେ ବହୁ ପଛରେ ପଡିଥିବା ଆଦିବାସୀ ଗାଁ ପାଇଁ ପ୍ରେରଣାର ଉତ୍ସ ପବଲାର ସିଦ୍ଧାନ୍ତ ।

 

ଦୀର୍ଘ ୧୦ ଦଶନ୍ଧି ପରେ ଗାଁ ପାଇଛି ପ୍ରଥମ ମାଟ୍ରିକ୍ ପାସ ଛାତ୍ର । ଦଶମ ପାସ୍ କରି ଆଦିବାସୀ ଗାଁର ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ସିଦ୍ଧାନ୍ତ ପ୍ରଧାନ । ଅନେକ ବାଧାକୁ ଏଡେଇ, ସମସ୍ୟାର ବାଡକୁ ଡେଇଁ ନିଜର ସ୍ଥିର ନିଷ୍ପତି ପାଖରେ ପହଂଚି ପାରିଛନ୍ତି ସିଦ୍ଧାନ୍ତ । ଅନୁଗୁଳ ଜିଲ୍ଲା ନନ୍ଦପୁର ପଂଚାୟତ ଘଂଚ ଜଙ୍ଗଲ ଭିତରେ ରହିଛି ଆଦିବାସୀ ଗାଁ ପବଲା । ଚାରିପଟେ ପାହାଡ ଘେରି ରହିଥିବା ଏହି ଗାଁରେ ପ୍ରଥମ ମାଟ୍ରିକ ପାସ୍ ଛାତ୍ର ଭାବେ ଶିକ୍ଷାର ମଉମଣୀ ସାଜିଛନ୍ତି ସିଦ୍ଧାନ୍ତ ।

ଦାଦନ ଶ୍ରମିକକୁ ନେଇ ପରିଚିତ ପବଲା ଗାଁରେ ଶିକ୍ଷା ବ୍ୟବସ୍ଥାର ଦେଖା ନାହିଁ । ମାଟି କୁଡିଆ ଭିତରେ ରହୁଥିବା ଛାତ୍ରଛାତ୍ରୀ ପ୍ରଥମିକ ଶିକ୍ଷା ପାଇଁ ୪ କିଲୋମିଟର ଜଙ୍ଗଲିଆ ରାସ୍ତା ଚାଲି ଚାଲି କତରପଟା ପ୍ରାଥମିକ ବିଦ୍ୟାଳୟରେ ପହଂଚନ୍ତି । ଆଉ ହାଇସ୍କୁଲ ଶିକ୍ଷା ପାଇଁ ଯିବାକୁ ପଡେ ୩୦ କିଲୋମିଟର ଦୂର ଅନୁଗୁଳ ଉଚ୍ଚ ବିଦ୍ୟାଳୟକୁ । ଏଥିପାଇଁ ପ୍ରାୟତଃ ପବଲା ଗାଁର ଛାତ୍ରଛାତ୍ରୀ ପ୍ରଥମିକ ଶିକ୍ଷା ପରେ ପଢା ବହିରେ ଡୋରୀ ବାନ୍ଦି ବିଭିନ୍ନ ସ୍ଥାନରେ ଦାଦନ ଖଟିଥାନ୍ତି । କିନ୍ତୁ ଏହି ପ୍ରକ୍ରିୟାରେ ରୋକ ଲଗାଇବା ପାଇଁ ମନସ୍ଥ କରିଥିଲେ ସିଦ୍ଧାନ୍ତଙ୍କ ବାପା ଦିଗମ୍ବର ପ୍ରଧାନ ଓ ମାଆ ଜେମାଦେଇ ପ୍ରଧାନ । ପୁଅକୁ ପାଠପଢା ପାଇଁ ପ୍ରେରଣା ଯୋଗାଇଦେଇଥିଲେ ବାପାମାଆ ।

 

ଘରଠାରୁ ୪ କିଲୋମିଟର ସାଇକେଲରେ ଯିବା ପରେ କରତପଟାରୁ ବସ ଯୋଗେ ଅନୁଗୁଳ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ ସିଦ୍ଧାନ୍ତ । ଆଉ ତାଙ୍କରେ ସେହି ପରିଶ୍ରମ ଓ ନିଷ୍ଠା ଏବଂ ବାପା ମାଆଙ୍କ ପ୍ରେରଣା ଆଜି ତାଙ୍କ ଗାଁର ଇତିହାସକୁ ବଦଳାଇ ଦେଇଛି । ହେଲେ ଏହି ଗରିବ ପରିବାର ଆଦିବାସୀ ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ । ଗାଁର ନୂଆ ପରିଚୟ ସୃଷ୍ଟି କରିଥିବା ସିଦ୍ଧାନ୍ତଙ୍କ ଉଚ୍ଚଶିକ୍ଷା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି ।