ମୃତ୍ୟୁର ୫୦ ବର୍ଷ ପରେ ବି କର୍ତ୍ତବ୍ୟରୁ ଓହରିନାହାନ୍ତି ଏହି ବୀର ସହିଦ୍ ଯବାନ ! ସ୍ୱପ୍ନରେ ଆସନ୍ତି ଶତ୍ରୁଙ୍କ ଷଡଯନ୍ତ୍ର କଥା କୁହନ୍ତି , ଜାଣନ୍ତୁ କିଏ ନାଥୁଲାର ଏହି ସହିଦ୍ ହିରୋ 

601

ଭାରତୀୟ ସେନାର ସାହସିକତା ଏବଂ ଦମ୍ଭୋକ୍ତିର କାହାଣୀ ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ସେତିକି ପ୍ରେରଣାଦାୟକ । ପୋଲିସ୍ ହୁଅନ୍ତୁ କିମ୍ବା ସେନା ସଦାବେଳେ ସତର୍କ ରହୁଥିବା ଏହି ଯବାନଙ୍କ ଆଗରେ ଅନ୍ଧବିଶ୍ୱାସର କୌଣସି ସ୍ଥାନ ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ ତାହା ଭାରତୀୟ ସେନାର ବିଶ୍ୱାସର କଥା । ଯାହା ବାସ୍ତବିକ ହୋଇ ମଧ୍ୟ ଅବିଶ୍ୱସନୀୟ ।

ଏହା ପୂର୍ବରୁ ଆମେ ଅନେକ କାର୍ଯ୍ୟରତ ଏବଂ ସାହସୀ ସହିଦ୍ ଯବାନଙ୍କ ବୀରଗାଥା ବିଷୟରେ ଆପଣଙ୍କୁ କହିଛୁ । ଯେଉଁମାନେ ଦେଶକୁ ବଂଚାଇବାକୁ ଯାଇ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଛନ୍ତି । କିନ୍ତୁ ଆଜି ଏଭଳି ଜଣେ ଯବାନଙ୍କ କଥା କହିବାକୁ ଯାଉଛୁ ଯେ ବୀରଗତି ପ୍ରାପ୍ତ ପରେ ବି ଦେଶକୁ ଶତ୍ରୁଙ୍କ କବଳରୁ ୫୦ ବର୍ଷ ହେଲାଣି ବଂଚାଇ ଆସୁଛନ୍ତି । ଏହି ବୀରଗାଥା ହେଉଛି ସହିଦ୍ ଯବାନ ବାବା ହରଭଜନ୍ ସିଂହଙ୍କ । ମରଣୋପରାନ୍ତ ପରେ ବି ସେ ନିଜ କାମ ଫୁର୍ତ୍ତୀ ଏବଂ ନିଷ୍ଠାର ସହ କରିଆସୁଛନ୍ତି , ଯେ ସହିଦ୍ ହେବା ପରେ ମଧ୍ୟ ସେନାରେ କାର୍ଯ୍ୟରତ , ଏବଂ କୌତୁହଳର କଥା ସେନାରେ ତାଙ୍କର ପଦୋନ୍ନତି ମଧ୍ୟ ହୁଏ । ଅଗଷ୍ଟ ୩୦ , ୧୯୪୬ ରେ ଜନ୍ମିତ ବାବା ହରଭଜନ୍ ୧୯୬୬ ମସିହା ଫେବୃୟାରୀ ୯ ତାରିଖରେ ପଞ୍ଜାବ ରେଜିମେଣ୍ଟ୍ ରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ । ୧୯୬୮ରେ ତାଙ୍କୁ ପଞ୍ଜାବ ରେଜିମେଣ୍ଟ୍ ରୁ ପୂର୍ବ ସିକ୍କିମ୍ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ୧୯୬୮ ଅକ୍ଟୋବର ୪ ରେ ନାଥୁଲାରେ ତାଙ୍କ ଗୋଡ ଖସିବା କାରଣରୁ ସେ ଘାଟିରେ ଖସିପଡିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ନଦୀର ପ୍ରଖର ସ୍ରୋତ ତାଙ୍କ ଶରୀରକୁ ୨ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା ।

ଶୁଣିବାକୁ ମିଳୁଛି ଯେ ସେ ତାଙ୍କ ସାଥି ସୈନ୍ୟମାନଙ୍କୁ ସ୍ୱପ୍ନରେ ନିଜ ମୃତ୍ୟୁ ଖବର କଥା କହିବା ସହ ଶବ ପୋତି ହୋଇଥିବା ସ୍ଥାନ କଥା ମଧ୍ୟ କହିଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ପାର୍ଥୀବ ଶରୀର ଉକ୍ତ ସ୍ଥାନରୁ ହିଁ ମିଳିଥିଲା । ପରେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ନାଁରେ ଏକ ସମାଧି ପ୍ରସ୍ତୁତ କରାଯାଇଥିଲା । ୧୯୮୨ ମସିହାରେ ତାଙ୍କ ସମାଧିକୁ ପ୍ରସ୍ତୁତ କରାଗଲା ଯାହା ବର୍ତ୍ତମାନ ବାବା ହରଭଜନ୍ ମନ୍ଦିର ନାଁରେ ଖୁବ୍ ଖ୍ୟାତ । ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସେନାସାଥିଙ୍କ କହିବାନୁସାରେ , ମୃତ୍ୟୁର ଏତେବର୍ଷ ପରେ ବି ସେ ଦେଶସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ନାଥୁଲା ଆଖପାଖରେ ଚୀନ୍ ସୈନ୍ୟଙ୍କ ଗତିବିଧିକୁ ନଜର ରଖି ସେ ସାଥିଙ୍କୁ ସ୍ୱପ୍ନରେ ଆସି ସଜାଗ କରନ୍ତି । ଯାହା ଅଦ୍ଭୁଦ ଲାଗୁଥିଲେ ମଧ୍ୟ ପ୍ରତିଥର ସତ ସାବ୍ୟସ୍ତ ହୋଇଛି । ଏହି କାରଣରୁ ତାଙ୍କୁ ମରଣୋପରାନ୍ତ ପରେ ବି ସେନାରେ ପଦବୀରେ ରଖାଯାଇଛି ।

ଏତିକି ନୁହଁ ଅନ୍ୟ ଯବାନଙ୍କ ଭଳି ତାଙ୍କୁ ମଧ୍ୟ ବେତନ , ୨ ମାସର ଛୁଟି ଆଦିର ସୁବିଧା ଦିଆଯାଉଛି । ଛୁଟି ସମୟରେ ସେନାର ଯବାନମାନେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସହ ସ୍ଥାନୀୟ ଲୋକେ ତାଙ୍କ ସାମଗ୍ରୀକୁ ଟ୍ରେନ୍ ରେ ଛାଡିବାକୁ ଯାଆନ୍ତି । ବେତନର ଏକ- ଚତୁର୍ଥାଂଶ ତାଙ୍କ ମା’ଙ୍କ ପାଖକୁ ପଠାଯାଏ । ନାଥୁଲାରେ ଯେବେ ବି ଭାରତ ଏବଂ ଚୀନ୍ ମଧ୍ୟରେ ଫ୍ଲାଗ୍ ମିଟିଙ୍ଗ୍ ହୁଏ ଚୀନ୍ ସେନା ବାବା ହରଭଜନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚଉକିର ବ୍ୟବସ୍ଥା କରିଥାନ୍ତି । ମନ୍ଦିରରେ ବାବାଙ୍କ ଜୋତା ଏବଂ ଅନ୍ୟ ସାମଗ୍ରୀ ରଖାଯାଇଛି । ଯବାନମାନେ ଏହି ମନ୍ଦିରର ପ୍ରହରା ଦେଇଥାନ୍ତି । ସେମାନଙ୍କ କହିବାନୁସାରେ , ପ୍ରତିଦିନ ତାଙ୍କ ଜୋତାରେ କାଦୁଅ ଲାଗିଥାଏ ଏବଂ ବିଛଣା ଅସଜଡା ହୋଇଥାଏ । କେବଳ ଭାରତ ନୁହଁ ଚୀନ୍ ସେନା ମଧ୍ୟ ଏହାକୁ ଦୃଢତାର ସହ ମାନିଛନ୍ତି ଯେ ବାବା ହରଭଜନ୍ ଙ୍କୁ ଘୋଡାରେ ବସି ପ୍ରହରା ଦେଉଥିବା ଦେଖାଯାଇଛି । ମୃତ୍ୟୁକୁ ୫୦ ବର୍ଷ ହୋଇଯାଇଥିଲେ ମଧ୍ୟ ସେ ଆଜିବି ସେନାରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଆଉ ଏଥିପାଇଁ ତାଙ୍କୁ ନାଥୁଲାର ହିରୋ ବୋଲି ମଧ୍ୟ କୁହାଯାଉଛି ।