ଗଞ୍ଜାମର ଦାନ୍ତଲିଙ୍ଗୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ! ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ୫୦ ବଖରା ଘର

35

ନିଆଁର ଆଁରେ ୫୦ ବଖରା ଘର । ଆଖି ଆଗରେ ହୁତୁହୁତ ହୋଇ ଜଳିଗଲା ଘର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅସୁରବନ୍ଧ ପଞ୍ଚାୟତ ଦାନ୍ତଲିଙ୍ଗୀ ଗାଁରେ ରବିବାର ଅପରାହ୍ଣରେ ଭୟାଭହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତଲିଙ୍ଗୀ ଗାଁରେ ପ୍ରାୟ ୨୫ଟି ପରିବାରର ୫୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିବା ପରେ କିଛି ସମୟ ମଧ୍ୟରେ ପଡ଼େଶୀ ଘରଗୁଡ଼ିକୁ ବ୍ୟାପି ଥିଲା।

ଗାଁ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଗାଁ ଲୋକେ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। କିନ୍ତୁ ସୋରଡା ଓ ଧରାକୋଟ ଦମକଳ କେନ୍ଦ୍ରରୁ ଦମକଳ ଗାଡ଼ି ନେଇ ଆଗ୍ନିକମାନେ ପହଞ୍ଚିବା ବେଳକୁ ଆଉ କିଛି ନଥିଲା। ଅଗ୍ନିକାଣ୍ଡ ଯୋଗୁଁ ଘର ସାମଗ୍ରୀ, ଧାନ, ଚାଉଳ, ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି। ବର୍ତମାନ ପ୍ରାୟ ୨୦ଟି ପରିବାର ନିରାଶ୍ରୟ ହୋଇ ଗଛ ମୂଳରେ ଦିନ କାଟୁଛନ୍ତି।