ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବଢୁଛି ଚାଷୀଙ୍କ ସମସ୍ୟା । ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ

193

କନକ ବ୍ୟୁରୋ: ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବଢୁଛି ଚାଷୀଙ୍କ ସମସ୍ୟା । ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଅମଳ ଧାନକୁ ବାଧ୍ୟ ହୋଇ ଶାଗ ମାଛ ଦରରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଚାଷୀ । ଉଚିତ ମୁଲ୍ୟରେ ଧାନ ବିକିବା ପାଇଁ ମଣ୍ଡି ବ୍ୟବସ୍ଥା ହୋଇଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ବାସ୍ତବ ଚିତ୍ର ଅଲଗା ଦେଖିବାକୁ ମିଳିଛି ।

ଚାଷ ଆରମ୍ଭରୁ ଶେଷ ଯାଏଁ ଚାଷୀଙ୍କ ପିଛା ଛାଡ଼ୁନି ସମସ୍ୟା । କେତେବେଳେ ରୋଗପୋକ, କେତେବେଳେ ଅଦିନିଆ ବର୍ଷା ଆଉ ଏବେ ଚାଷୀଙ୍କ ଉପରେ ଦାଉ ସାଧୁଛି ମଣ୍ଡି ଅବ୍ୟବସ୍ଥା । ମିଲର ଓ ମଣ୍ଡି ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରୁଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରୁ । ଉଚିତ ମୂଲ୍ୟରେ ଚାଷୀଙ୍କ ଧାନ ମଣ୍ଡିରେ ଦେବା ନେଇ ପ୍ରଶାସନ ସ୍ତରରେ ବ୍ୟବସ୍ଥା କରାଯାଇଛି । ହେଲେ ଗ୍ରାଉଣ୍ଡ ଜିରୋରେ ଏହାର ବାସ୍ତବତା ସମ୍ପୂଣ୍ଣ ଅଲଗା ଦେଖିବାକୁ ମିଳୁଛି । ମିଲର ମାନେ କ୍ୱିଣ୍ଟାଲ ପିଛା ୧୦ କିଲୋ ଧାନ ଅଧିକ ଦେବାକୁ ଦାବି କରୁଛନ୍ତି । ଫଳରେ ଚାଷୀ ବାଧ୍ୟ ହୋଇ କ୍ୱିଣ୍ଟାଲ ପିଛା ୮୦୦ରୁ ୯୦୦ ଟଙ୍କାରେ ଆନ୍ଧ୍ର ବେପାରୀଙ୍କୁ ବିକ୍ରୟ କରୁଛନ୍ତି ।

ଯେଉଁ ଧାନ କ୍ୱିଣ୍ଟାଲ ପିଛା ୧୯୦୦ ଟଙ୍କାରେ ବିକ୍ରି ହେବା କଥା ସେହି ଧାନକୁ ଶାଗ ମାଛ ଦରରେ ଆନ୍ଧ୍ର ବେପାରୀ କିଣି ମାଲାମାଲ ହେଉଛନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡ଼, ସାନଖେମୁଣ୍ଡି, ଦିଗପହଣ୍ଡି, ଚିକିଟି, ପାତ୍ରପୁର ବ୍ଲକର ଚାଷୀ ଏଭଳି ସମସ୍ୟା ଭୋଗୁଛନ୍ତି । ଓଡ଼ିଶା ଆନ୍ଧ୍ର ସୀମାରେ ଥିବା ଚିକିଟି ବ୍ଲକର ପିତାତଳି ଗାଁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ିରେ ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୋଇଥାଏ । ଏହି ଅଞ୍ଚଳ ଦେଇ ଗଞ୍ଜାମ ଜିଲ୍ଲାର ପଡ଼ୋଶୀ ନୟାଗଡ଼ ଓ ଖୋର୍ଦ୍ଧାରୁ ବହୁ ପରିମାଣର ଧାନ ବିକ୍ରି ହେଉଥିବା କହିଛନ୍ତି ସ୍ଥାନୀୟ ଚାଷୀ ।

ଅନ୍ୟପଟେ ଚିଳିତ ବର୍ଷ ମିଲ ମାଲିକ ମାନେ ଅସାଧୁ ଉପାୟରେ ବହୁ ପରିମାଣର ଧାନ କିଣି ଗଛିତ ରଖିଛନ୍ତି । କାଗଜ କଲମରେ ଉକ୍ତ ଧାନକୁ ମଣ୍ଡି ମାଧ୍ୟମରେ କିଣିଥିବା କହି ପରବର୍ତ୍ତୀ ସମୟରେ ମୁନାଫା କମାଉଛନ୍ତି ମିଲ ମାଲିକ ।