ଏଟିଏମ ଓ ଆଧାର ନମ୍ବର ମାଗୁଥିବା ଫୋନକଲକୁ ସାବଧାନ ! କନକ ନ୍ୟୁଜରେ ଠକ ଫୋନକଲର ଖୁଲାସା

37

କନକ ବ୍ୟୁରୋ : ବ୍ୟାଙ୍କ୍ ଆକାଉଂଟ ସହ ଆଧାର ସଂଯୋଗ କରିବା ପାଇଁ ଶେଷ ତାରିଖ ରହିଛି ଡିସେମ୍ବର ୩୧ ତାରିଖ । ହେଲେ ଏହାର ସୁଯୋଗ ନେଇ ଆରବିଆଇ କିମ୍ବା ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ କିଛି ଠକ ବ୍ୟକ୍ତି ଫୋନ କଲ୍ କରୁଛନ୍ତି । ଏବଂ ଆଧାର ନମ୍ବର ସହ ଏଟିଏମ ନମ୍ବର ମାଗୁଛନ୍ତି । ନହେଲେ ବ୍ୟାଙ୍କ୍ ଆକାଉଂଟ ଓ ଏଟିଏମ୍ କୁ ବ୍ଲକ୍ କରିଦିଆଯିବ ବୋଲି ଧମକ ମଧ୍ୟ ଦେଉଛନ୍ତି । ଯଦି ଆପଣ ସେମାନଙ୍କ ଚକରରେ ପଡିଯିବେ, ତେବେ ମୁହୂର୍ତକ ମଧ୍ୟରେ ଆପଣଙ୍କ ବ୍ୟାଙ୍କ୍ ଖାତାରୁ ଗାଏବ ହୋଇଯିବ ଟଙ୍କା ।

downloadଏପରି ଫୋନ କଲ ଆପଣଙ୍କ ପାଖକୁ ଆସୁଛି କି? ଆପଣଙ୍କ ବ୍ୟାଙ୍କ୍ ଖାତା ଓ ଏଟିଏମ୍ ବ୍ଳକ୍ ହୋଇଯାଇଛି, ଆଧାର କାର୍ଡ ନମ୍ବର ସହ ଏଟିଏମ୍ ନମ୍ବର ଦେଲେ ପୁଣି ବ୍ୟାଙ୍କ୍ ଖାତା ଚାଲୁହେବ, ଏପରି କେହି ଆପଣଙ୍କୁ ଫୋନ କରି କହୁଛନ୍ତି କି? ତେବେ ସାବଧାନ! କେବେ ବି ଆପଣ ସେମାନଙ୍କ କଥାରେ ପଡ଼ିବେନି । ଯଦି କେବେ ନିଜର ଆଧାର ନମ୍ବର ଓ ଏଟିଏମ୍ ନମ୍ବର ଦେଇଦେବେ, ତେବେ ମୁହୂର୍ତକ ମଧ୍ୟରେ ବ୍ୟାଙ୍କରେ ଥିବା ଆପଣଙ୍କ ଟଙ୍କାକୁ ହଡପ କରିନେବ ଠକ ବ୍ୟକ୍ତି ।

ଆମ ରିପୋର୍ଟର ଆଲୋକ ସାହୁଙ୍କୁ ଗୋଟିଏ ଦିନରେ ଏହିଭଳି ୨ଟି ଫୋନ କଲ ଆସିଥିଲା । ଯେଉଁଥିରେ ତାଙ୍କର ଏଟିଏମ୍ ନମ୍ବର ଓ ଆଧାର ନମ୍ବର ମଗାଯାଇଥିଲା । ଜିଏସଟି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ବୋଲି କହି ପ୍ରବର୍ତାଉଥିଲେ ଏହି ଦୁଇ ଜଣ ଠକ । କିନ୍ତୁ ଦୁଇ ଠକଙ୍କ ହାବୁଡରୁ ବର୍ତ୍ତିଯାଇଥିଲେ ଆଲୋକ ।

ସେହିଭଳି କିଛି ଦିନ ପୂର୍ବରୁ ବ୍ରହ୍ମପୁରର ଗଣେଶ ପାଖକୁ ଆସିଥିଲା ଏହିଭଳି ଫୋନ କଲ୍ । କାଳେ ଏଟିଏମ ବନ୍ଦ ହୋଇଯିବ ଏହି ଭୟରେ ସେ ନିଜ ଏଟିଏମ ଓ ଆଧାର ନମ୍ବର ଦେଇଥିଲେ । ମାତ୍ର କିଛି ସମୟ ପରେ ତାଙ୍କ ଫୋନକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କ ଆକାଉଂଟରୁ ୬୦୦୦ ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଥିଲେ ।

ଆଇଟି ବିଶେଷଜ୍ଞଙ୍କ ମତରେ ବ୍ୟାଙ୍କ ଖାତାରେ ଲିଙ୍କ୍ ହୋଇଥିବା ଫୋନ ନଂମ୍ବର ଓ ଆଧାର ନମ୍ବର ଜାଣିଯିବା ପରେ ସେହି ଆକାଉଂଟରୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ହାକରମାନଙ୍କୁ ସହଜ ହୋଇଥାଏ ।

କେତେବେଳେ ଆରବିଆଇ ତ କେତେବେଳେ ଏସବିଆଇ ଓ ଅନ୍ୟ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିଥାନ୍ତି ଏହି ଠକ ର୍ୟାକେଟ୍ । ଏହି ଫୋନ କଲରେ ସେମାନେ ଭୟଭିତ ବି କରାଇଥାଆନ୍ତି, ହେଲେ ସେମାନଙ୍କ ଫୋନ କଲକୁ ଗୁରୁତ୍ୱ ଦେଲେ ଆପଣ ନିଶ୍ଚିତ ଠକାମୀରେ ପଡିଯିବେ ।