କନକ ବ୍ୟୁରୋ : କିଏ ଜାଣିଥିଲା, ରାତିର ଘନ ଅନ୍ଧକାର ଭିତରେ ଏମିତି ଚିରନିନ୍ଦ୍ରାରେ ଶୋଇଯିବ ପୁରା ପରିବାର । କିଏ ଜାଣିଥିଲା ସକାଳର ଆଲୁଅ ଆସିବା ଆଗରୁ ଲିଭିଯିବ ଜୀବନ ଦୀପ । ହସଖୁସିର ଏହି ପରିବାର ଉପରେ ଲାଗିଯିବ ଦଇବର ଦାରୁଣ ନଜର । ଦାରିଦ୍ର୍ୟର ତାଡ଼ନା ଏତେ ଉଗ୍ର ହୋଇଗଲା ଯେ, ଲୌହ ଦାନବ ଆଗରେ ଠିଆ ହୋଇଗଲା ପୁରା ପରିବାର । ଭୋକ, ଦାରିଦ୍ର୍ୟ ଏବଂ ଜୀବନ କ’ଣ ବୁଝିନଥିବା ସାଢ଼େ ୩ବର୍ଷର ଝିଅ ଶ୍ରଦ୍ଧା ବି ବାପା-ମା ଏବଂ ଭଡ଼ ଭଉଣୀମାନଙ୍କ ସହ ଜୀବନ ଯୁଦ୍ଧରେ ହାରିଗଲା । କିଏ ଜାଣିଥିଲା, ହାତ ଯୋଡ଼ି ଖୁସିରେ ଖନେଇ ଖନେଇ କଥା ଶିଖୁଥିବା ଏଇ କୁନି ଝିଅ, ସବୁ ଦିନ ପାଇଁ ନିରବି ଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର ରୋଡ ଷ୍ଟେସନ୍ ନିକଟରେ ସଂଗୀତ ଶିକ୍ଷା ଦେଇ ୩ଝିଅଙ୍କୁ ନେଇ ବହୁ କଷ୍ଟରେ ଚଳୁଥିଲା ଧରଣୀଧର ଏବଂ ସଂଗୀତା ପଣ୍ଡାଙ୍କ ପରିବାର । ରୋଜଗାର କହିଲେ, ସଂଗୀତ ଶିକ୍ଷାରୁ ମିଳୁଥିବା କିଛି ଟଙ୍କା । କିନ୍ତୁ ପରିବାରରେ ଥିଲେ ୫ ଜଣ । ଅନନ୍ୟା ପଣ୍ଡା ଏବଂ ଅପରାଜିତା ପଣ୍ଡା, ଦୁଇ ଦୁଇଟି ବଢ଼ିଲା ଝିଅ । ପରିବାର ପ୍ରତିପୋଷଣ ପାଇଁ ଅନେକ ଲୋକଙ୍କଠାରୁ ବହୁ ଧାରକରଜ ବି କରିଥିଲେ । ସଂସାରର ଜଞ୍ଜାଳ ଏବଂ ଧାରକରଜ, ଅସମ୍ଭାଳ ହୋଇଗଲା ବୋଝ । ଆଉ କିଛି ଦିନ ତଳେ ଯେତେବେଳେ କିଛି ଲୋକ ଆସି ଟଙ୍କା ପାଇଁ ଗଣ୍ଡଗୋଳ କରିଥିଲେ, ଚରମ ପନ୍ଥା ବାଛି ନେବାକୁ ନିଷ୍ପତି ନେଇଥିଲେ ଧରଣୀଧର । ଆଉ ଡିଏମ୍ୟୁ ଆଗକୁ ଡେଇଁ ପଡ଼ିଲେ ପୁରା ପରିବାର ।
ଦାରିଦ୍ର୍ୟର କରୁଣ ରୂପ ଯେ ଏପରି ହେବ ତାହା କେବେ କେହି ବିଶ୍ୱାସ ମଧ୍ୟ କରିନଥିଲେ । ଟ୍ରେନ ଆଗରେ ଚାଲିଗଲା ପରିବାରର ୫ ସଦସ୍ୟଙ୍କ ଜୀବନ । ତେବେ ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା ପଛରେ ଅର୍ଥାଭାବ ଥିଲା ନା’ ହତ୍ୟା ପଛରେ ଆଉ କ’ଣ କାରଣ ରହିଛି । ତାହା ଏବେ ତଦନ୍ତ ସାପେକ୍ଷ । ଆଉ ତଦନ୍ତ ପରେ ହିଁ ଉଠିବ ଏହି ରହସ୍ୟମୟ ମୃତ୍ୟୁ ଉପରୁ ପରଦା ।