ବରଗଡ଼ରେ ବୁଲିଲା ଭକ୍ତିର ଖଣ୍ଡା: ଖଣ୍ଡା ବୁଲାଇଲେ ପ୍ରଦୀପ ପୁରୋହିତ

866

କନକ ବ୍ୟୁରୋ: ହନୁମାନ ଜୟନ୍ତୀରେ ହଙ୍ଗାମା । ବିଭିନ୍ନ ସ୍ଥାନରେ ବାଇକ ଶୋଭାଯାତ୍ରା ହୋଇଛି । ସୁବର୍ଣ୍ଣପୁରରେ ହନୁମାନ ଜୟନ୍ତୀ ବେଳେ ଗଣ୍ଡଗୋଳ ହୋଇଛି । ଆମ୍ବେଦକର ଛକରେ ବଜରଙ୍ଗ ଦଳ ଓ ଭୀମ ଆର୍ମି କର୍ମକର୍ତା ମୁହାଁମୁହିଁ ହୋଇଛନ୍ତି । ଆଠଗଡ଼ରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ପଣା ସଂକ୍ରାନ୍ତି ଶୋଭାଯାତ୍ରା ଚାଲିଥିବା ବେଳେ ଭୀମ୍ ସେନା ଓ ହିନ୍ଦୁ ସେନା ମୁହାଁମୁହିଁ ହୋଇଛନ୍ତି ।

ହନୁମାନ ଜୟନ୍ତୀରେ ଭିନ୍ନ ଢ଼ଙ୍ଗରେ ନଜର ଆସିଛନ୍ତି ବରଗଡ଼ର ବିଜେପି ଲୋକସଭା ପ୍ରାର୍ଥୀ । ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ଭାବେ ଭକ୍ତିର ଖଣ୍ଡା ବୁଲାଇଛନ୍ତି ପ୍ରଦୀପ ପୁରୋହିତ । ଅତାବିରା ନିର୍ବାଚନ ମଣ୍ଡଳୀର ଗୋଡ଼ଭଗାରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅତାବିରା ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ ସହ ପାରମ୍ପରିକ ଢଙ୍ଗରେ ଖଣ୍ଡା ଚାଳନା କରିଥିଲେ ପ୍ରଦୀପ ପୁରୋହିତ । ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଏବଂ ବଜରଙ୍ଗ ଦଳର କର୍ମକର୍ତା ସାମିଲ ହୋଇଥିଲେ ।

କେବଳ ବରଗଡ଼ କାହିଁକି ରାଜ୍ୟର ବିଭିନ୍ନ ସହରରେ ବେଶ ଉତ୍ସାହର ସହ ପାଳିତ ହୋଇଛି ଓଡ଼ିଆ ନୂଆବର୍ଷ ଓ ହନୁମାନ ଜୟନ୍ତୀ । କଟକରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ ବାଇକ ଶୋଭାଯାତ୍ରା । ଏହି ଶୋଭାଯାତ୍ରା ବାରବାଟୀ ଷ୍ଟାଡିୟମ ନିକଟରୁ ବାହାରି ଚଣ୍ଡୀ ମନ୍ଦିର, ବକ୍ସି ବଜାର, ମଙ୍ଗଳାବାଗ, ରାଣୀହାଟ, କଲେଜ ଛକ, ଯୋବ୍ରା ଦେଇ ସହର ପରିକ୍ରମା କରି ମହାନଦୀ ବିହାରରେ ପହଂଚିଥିଲା । ଶୋଭାଯାତ୍ରା ଆଗରେ ହନୁମାନଙ୍କ ଏକ ବିରାଟ ଫଟୋଚିତ୍ର ସହ ଜୟ ଶ୍ରୀରାମ ନାରା ଶୁଭିଥିଲା । କେନ୍ଦ୍ରାପଡ଼ା ସହରରେ ମଧ୍ୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବବର୍ଷ ଅବସରରେ ତିନିମୁହାଣିରୁ ବାହାରିଥିବା ଏହି ଶୋଭାଯାତ୍ରା ବଳଦେବଜିଉ ମନ୍ଦିର ନିକଟରେ ପହଂଚିଥିଲା । ଏଥିରେ ବହୁ ସଂଖ୍ୟାରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ଯୋଗ ଦେଇଥିଲେ ।

ଏପଟେ ସୁବର୍ଣ୍ଣପୁରରେ ହନୁମାନ ଜୟନ୍ତୀ ବେଳେ ଗଣ୍ଡଗୋଳ । ଆମ୍ବେଦକର ଛକରେ ବଜରଙ୍ଗ ଦଳ ଓ ଭୀମ ଆର୍ମି କର୍ମକର୍ତା ମୁହାଁମୁହିଁ ହୋଇଛନ୍ତି । ଉଭୟ ସଂଗଠନ ପକ୍ଷରୁ ଶୋଭାଯାତ୍ରା ଚାଲିଥିଲା ବେଳେ ଏଭଳି ଘଟିଛି । ସୁବର୍ଣ୍ଣପୁର ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ ରୟାଲ ପଡ଼ିଆ ସ୍ଥିତ ବାଲାଜୀ ମନ୍ଦିରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସେପଟେ ଆମ୍ବେଦକର ଜୟନ୍ତୀ ଅବସରରେ ଭୀମ ଆର୍ମି ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ତେବେ ଆମ୍ବେଦକର ଛକରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ହସ୍ତକ୍ଷେପ ପରେ ସ୍ଥିତିକୁ ନିୟନ୍ତ୍ରଣ ଆସିଥିଲା ।

ଆଠଗଡ଼ରେ ମଧ୍ୟ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ପଣା ସଂକ୍ରାନ୍ତି ଶୋଭାଯାତ୍ରା ଚାଲିଥିବା ବେଳେ ଭୀମ୍ ସେନା ଓ ହିନ୍ଦୁ ସେନା ମୁହାଁମୁହିଁ ହୋଇଥିଲେ । ପରସ୍ପର ଆକ୍ଷେପରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେତେ ତିଗିରିଆ ପୁଲିସ୍ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।