ବାଲେଶ୍ୱର ରେମୁଣା ଶିଳ୍ପାଞ୍ଚଳରେ  ଭୟଙ୍କର ବିସ୍ଫୋରଣ : ଦୋହଲିଲା ତିନିମହଲା କୋଠା ଆଉ ଉଡିଲା ଛାତ, ବାଣ ତିଆରିରୁ ବିସ୍ଫୋରଣ ସନ୍ଦେହ

459

କନକ ବ୍ୟୁରୋ : ବାଲେଶ୍ୱରର ରେମୁଣା ଶିଳ୍ପାଂଚଳର ଅଚ୍ୟୁତପୁରରେ ବିସ୍ଫୋରଣ । ବିସ୍ଫୋରଣରେ ଦୋହଲି ଯାଇଛି ୩ ମହଲା କୋଠା । କୋଠାର ଛାତ ଉଡିଯାଇଛି । କାନ୍ଥ ଦୋହଲୁଛି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ରେମୁଣା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏତେ ବଡ ଧରରଣର ବିସ୍ଫୋରଣ ଘଟିଲା ତାର ଅନୁଧ୍ୟାନ କରୁଛି ପୋଲିସ ।

ଆଜି ସକାଳେ ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁରର ଏକ ଘରେ ଜୋରଦାର ଶବ୍ଦ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ସେହି ବିସ୍ଫୋରଣସ୍ଥଳୀ ନିକଟକୁ ଆସିଥିଲେ । ଗୋଟିଏ ଘରେ ଏହି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘରର ତୃତୀୟ ମହଲା ଛାତଟି ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ ।

ସାଇଂଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି । ବିସ୍ଫୋରଣ ପରେ ଘରଟି ବିପଦସଂକୁଳ ଅବସ୍ଥାରେ ରହିଛି । ଏହି ଘଟଣାର ତଦନ୍ତ କରି ଘର ମାଲିକଙ୍କ ପୁଅ ସଜ୍ଜନ ମହାପାତ୍ରଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ସନ୍ଦେହ କରାଯାଉଛି ଘରେ ବାଣ ତିଆରି ସମୟରେ ବିସ୍ଫୋରଣ ଘଟିଛି । ଏହି ଘରେ ରହୁଥିବା ବ୍ୟକ୍ତି ଜଣକ ମଧ୍ୟ ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି । ତାଙ୍କର କୌଣସି ପତ୍ତା ମିଳୁନି ।