MP LADS ଫଣ୍ଡ ଖର୍ଚ୍ଚ ସଂକ୍ରାନ୍ତୀୟ ରିପୋର୍ଟ : ୯୨ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ନାହାଁନ୍ତି ଓଡିଶାର ସାଂସଦ
ଷୋଡଶ ଲୋକସଭା ସାଂସଦ ପାଣ୍ଠିର ଖର୍ଚ୍ଚ ସଂକ୍ରାନ୍ତୀୟ ସବିଶେଷ ରିପୋର୍ଟ ପ୍ରକାଶ କଲେ କେନ୍ଦ୍ର ପରିସଂଖ୍ୟାନ ଓ କ୍ରିୟାନ୍ୱୟନ ମନ୍ତ୍ରଣାଳୟ । କେଉଁ ସାଂସଦ କେତେ ପରିମାଣରେ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ( ଏମପିଏଲଏଡିସ) ବିନିଯୋଗ କରିଛନ୍ତି ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ମନ୍ତ୍ରଣାଳୟ । ରିପୋର୍ଟ ଅନୁଯାୟୀ ଲୋକସଭା ସାଂସଦଙ୍କ ପାଣ୍ଠିକୁ ମନ୍ତ୍ରଣାଳୟ ତରଫରୁ ୨୫ କୋଟି ଲେଖାଏଁ ଟଙ୍କା ଅନୁମୋଦନ କରାଯିବାର ବ୍ୟବସ୍ଥା ରହିଛି । ତେବେ ଓଡିଶାର ୨୧ ଜଣ ସାଂସଦଙ୍କ ପାଣ୍ଠିକୁ ନିର୍ଦ୍ଧାରିତ ସର୍ବମୋଟ ଟଙ୍କା ଆସିନଥିଲେ ମଧ୍ୟ ଅଧାରୁ ଅଧିକ ଟଙ୍କା ସାଂସଦ ମାନଙ୍କ ପାଣ୍ଠିକୁ ପ୍ରଦାନ କରାଯାଇଛି । କିନ୍ତୁ ରିପୋର୍ଟ ଅନୁଯାୟୀ ଓଡିଶାର ୨୧ ଜଣ ସାଂସଦଙ୍କ ପାଣ୍ଠିରୁ ପାଖାପାଖି ୯୨ କୋଟି ୭୨ ଲକ୍ଷ ଟଙ୍କା ଏଯାବତ୍ ଖର୍ଚ୍ଚ ହୋଇପାରି ନାହିଁ ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ବରଗଡ ସାଂସଦ ପ୍ରଭାସ କୁମାର ସିଂହ ସର୍ବାଧିକ ୧୦୧. ୪୪ ପ୍ରତିଶତ ସାଂସଦ ପାଣ୍ଠି ବିନିଯୋଗ କରିଥିବାବେଳେ କୋରାପୁଟ ସାଂସଦ ଝିନ୍ନ ହିକକ୍କା ଏମପିଲାଡ ଫଣ୍ଡରୁ ସର୍ବନିମ୍ନ ୫୭.୩୮ ପ୍ରତିଶତ ଅର୍ଥ ବିନିଯୋଗ କରିଛନ୍ତି । ସେହିଭଳି ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ୯୭.୦୯ ପ୍ରତିଶତ , ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ ୭୫.୬୮ ପ୍ରତିଶତ, ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ୬୯.୩୭ ପ୍ରତିଶତ, ବ୍ରହ୍ମପୁର ସାଂସଦ ସିଦ୍ଦାନ୍ତ ମହାପାତ୍ର ୮୦.୦୩ ପ୍ରତିଶତ, ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ୭୭.୨୭ ପ୍ରତିଶତ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ ୮୦.୩୯ ପ୍ରତିଶତ, ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ ୭୬,୦୯ ପ୍ରତିଶତ, କଟକ ସାଂସଦ ଭର୍ତ୍ତୁହରି ମହତାବ ୮୭.୭୬ ପ୍ରତିଶତ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ୭୬.୦୭ ପ୍ରତିଶତ, ଜଗତସିଂହପୁର ସାଂସଦ କୁଳମଣି ସାମଲ ୯୨.୨୭ ପ୍ରତିଶତ, ଯାଜପୁର ସାଂସଦ ରୀତା ତରାଇ ୮୫.୩୯ ପ୍ରତିଶତ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ୭୯.୧୫ ପ୍ରତିଶତ, କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୬୯.୯୫ ପ୍ରତିଶତ, କେଉଁଝର ସାଂସଦ ଶକୁନ୍ତଳା ଲାଗୁରୀ ୭୭.୯୮ ପ୍ରତିଶତ, ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ୮୧.୩୮ ପ୍ରତିଶତ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ୬୯.୪୧ ପ୍ରତିଶତ, ପୁରୀ ସାଂସଦ ପିନାକୀ ମିଶ୍ର ୮୪.୫୪ ପ୍ରତିଶତ, ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ୬୯.୯୮ ପ୍ରତିଶତ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ୭୪.୪୦ ପ୍ରତିଶତ ସାଂସଦ ପାଣ୍ଠିରୁ ବିନିଯୋଗ କରିଛନ୍ତି ।
ଅନ୍ୟପଟେ ଏମପି (ମେମ୍ବର ଅଫ୍ ପାର୍ଲିଆମେଣ୍ଟ୍ ଲୋକାଲ୍ ଏରିଆ ଡେଭେଲପ୍ମେଣ୍ଟ୍) ଯୋଜନା ଅନ୍ତର୍ଗତ ଲୋକସଭା ସାଂସଦମାନଙ୍କୁ ସେମାନଙ୍କ ସଂସଦୀୟ କ୍ଷେତ୍ରର କାର୍ଯ୍ୟପାଇଁ ପ୍ରତ୍ୟେକ ବର୍ଷ ୫ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ। ଏହି ଅର୍ଥରାଶି ପ୍ରତ୍ୟେକ ବର୍ଷ ୨ କୋଟି ୫୦ ଲକ୍ଷ ଟଙ୍କା ହିସାବରେ ବର୍ଷକୁ ଦୁଇଟି କିସ୍ତିରେ ମଂଜୁର କରାଯାଇଥାଏ। ସାଂସଦମାନେ ସେମାନଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରା କରିବା ସମୟରେ ୧୦ଟି କିସ୍ତିରେ ଅର୍ଥରାଶି ପାଇଥାନ୍ତି। ହେଲେ କେନ୍ଦ୍ର ପରିସଂଖ୍ୟାନ ଓ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁସାରେ କେବଳ ଓଡ଼ିଶା ନୁହେଁ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କେରଳ, ରାଜସ୍ଥାନ, ଗୁଜରାଟ, ଓ ଝାଡ଼ଖଣ୍ଡର ଲୋକସଭା ସାଂସଦମାନଙ୍କ ସାଂସଦ ପାଣ୍ଠି ଅନ୍ତର୍ଗତ ବକେୟା କିସ୍ତି ମିଳିପାରିନାହିଁ। ୨୦୧୬-୧୭ମସିହାରେ ଓଡ଼ିଶାର ଲୋକସଭା ସାଂସଦମାନଙ୍କର ୩ଟି ବକେୟା କିସ୍ତି ରହିଛି। ୨୦୧୭-୧୮ରେ ମୋଟ୍ ୨୪ଟି ବକେୟା କିସ୍ତି ରହିଥିବାବେଳେ ୨୦୧୮-୧୯ରେ ମୋଟ୍ ୪୨ଟି ବକେୟା କିସ୍ତି ରହିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଷେଡଶ ଲୋକସଭା କାର୍ଯ୍ୟକାଳ ଶେଷ ହେବ । ତେବେ ଏଭଳି କ୍ଷେତ୍ରରେ ହୁଏତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗିପାରେ ।