ବିରତି ପରେ ପୁଣି ଉଚ୍ଛେଦ: ପୁରୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ପ୍ରଶାସନ ପକ୍ଷରୁ ଉଚ୍ଛେଦ ସ୍ଥଳରେ କଡ଼ା ସୁରକ୍ଷା ।

236

କନକ ବ୍ୟୁରୋ: କିଛିଦିନ ବିରତି ପରେ ପୁରୀରେ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଦୋଳବେଦୀ ନିକଟରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଠାରେ ପୁରୀ ପ୍ରଶାସନ ଚଳାଇଛନ୍ତି ଉଚ୍ଛେଦ କାର୍ଯ୍ୟ । ତେବେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୨ ତାରିଖରେ ୭୫ମିଟିର ପରିଧି ଭିତରେ ଆସୁଥିବା ବିସ୍ଥାପିତଙ୍କ ଅତିରିକ୍ତ ପ୍ରୋତ୍ସାହନ ରାଶିର ସମୟ ଅବଧି ଶେଷ ହୋଇଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଏହି ସମୟ ଅବଧିକୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବଳୟ ଭିତରେ ଆସୁଥିବା ବିସ୍ଥାପିତ ପରିବାରଙ୍କ ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ଶତ ପ୍ରତିଶତ ସେଲ ଡିଡ କରାଇନେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ପୁରୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ତେଣୁ ମହାପ୍ରଭୁଙ୍କ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏପରିକି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।