ପୁରୀ ସହରରେ ଦନ୍ତା ଆତଙ୍କ : ଘଉଡ଼ାଇବାକୁ ୫ ରେଞ୍ଜର ବନ ଅଧିକାରୀ ନାକେଦମ୍; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

98

କନକ ବ୍ୟୁରୋ : ପୁରୀ ସହରରେ ଦନ୍ତା ଆତଙ୍କ । ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ । ଗତକାଲି ପୁରୀ ସଦର ଅଞ୍ଚଳରେ ଥିବାବେଳେ ସଂଧ୍ୟାରେ ହାତୀ ଘୁଡାଇବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଞ୍ଚଳରେ ହାତୀକୁ ଠାବ କରାଯାଇଛି । ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସେପଟେ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯିବା ସହିତ ଆଖପାଖ ଅଞ୍ଚଳରେ ଯିବାଆସିବା ନକରିବାକୁ ସତର୍କ କରାଯାଇଛି । ହାତୀର ଗତିବିଧି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର ରହିଛି ।

ସୂଚନାଯୋଗ୍ୟ, ପୁରୀ ସଦର ବ୍ଲକରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଛି। ସନ୍ଧ୍ୟା ସୁଦ୍ଧା ଏହି ହାତୀ ଭାର୍ଗବୀ ନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ ତରଜଙ୍ଗ ଗାଁ’ରେ ପହଞ୍ଚିଥିବା ବନବିଭାଗ ଠାବ କରିଥିଲା। ରାତି ୧୧ଟାରେ ଏହି ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା। ରାତି ୧୨ଟାରେ ଦନ୍ତା ହାତୀଟି ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଥିଲା ।

ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ବଢ଼ିଯାଇଛି । ଏଣୁ ଜଙ୍ଗଲ ଦେଇ ଯେଉଁ ପଥରେ ହାତୀ ଆସିଥିଲା, ତାକୁ ସେହି ରାସ୍ତା ଦେଇ ବନବିଭାଗ ଘଉଡ଼ାଇବାକୁ ଚେଷ୍ଟା କରୁଛି । ସେପଟେ ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି । ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଅନ୍ୟପଟେ ହାତୀଟି ଖୋଲା ଜାଗାକୁ ନ ଆସି ଜଙ୍ଗଲ ଭିତରେ ଲୁଚି ରହୁଯିବାରୁ ବନବିଭାଗ ହାତୀକୁ ଠାବ କରିବାରେ ଗତକାଲି ଦିନତମାମ ନାକେଦମ ହୋଇଛି । ସେପଟେ ହାତୀକୁ ଘଉଡ଼ାଇବା ପାଇଁ ପୁରୀ ବନଖଣ୍ଡ ସହ ଖୋର୍ଦ୍ଧା ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ବି ଲାଗିଛନ୍ତି। ଦିନରେ ହାତୀକୁ ଘଉଡ଼ାଇବା ସମ୍ଭବ ନ ହେବାରୁ ବନବିଭାଗ ସନ୍ଧ୍ୟା ଗଡ଼ିବା ପରେ ନିଆଁହୁଳା, ବାଣ ଫୁଟାଇ ଓ ସର୍ଚ୍ଚ ଲାଇଟ୍ ପକାଇ ହାତୀ ଘଉଡ଼ାଇବା କାମ ଜାରିରଖିଛି । କିନ୍ତୁ ହାତୀ ଖୋର୍ଦ୍ଧା ବନଖଣ୍ଡ ଆଡ଼କୁ ଯିବା ପରିବର୍ତ୍ତେ ପୁରୀ ସହରରେ ପ୍ରବେଶ କରିଛି ।