ପାଣ୍ଠି ପଲିଟିକ୍ସ କଳାଧନ! ୨ ହଜାର ଟଙ୍କାର ଦାନ ବାବଦରେ ଦେବାକୁ ପଡିପାରେ ତଥ୍ୟ

30

କନକ ବ୍ୟୁରୋ : ସାଧାରଣ ଲୋକେ କଳାଧନ ରଖିଲେ ତାର ଯାଂଚ୍ ହେଉଛି? ହେଲେ ରାଜନୈତିକ ଦଳଗୁଡ଼ିକ କଳାଧନରେ ପରିଚାଳିତ ହେବେ କାହିଁକି? ଏବେ ବି ଅଧିକାଂଶ ଦଳର ୮୦ ପ୍ରତିଶତ ଅର୍ଥ ବେନାମୀ ସୂତ୍ରରୁ ଆସୁଛି । ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାନ ଉପରେ ଦାତାର ଖବର ରଖାଯାଉନାହିଁ । ଏହି ସୀମାକୁ ୨ ହଜାର ଟଙ୍କାକୁ ଖସାଇ ଦେବାକୁ ସୁପାରିଶ କରିଛନ୍ତି ନିର୍ବାଚନ କମିଶନ ।

୨ ହଜାର ଟଙ୍କା ଦାନ ବାବଦରେ ବି ଦାତା ସଂପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ପଡ଼ିିବ । ଏଭଳି ସୁପାରିଶ କରିଛନ୍ତି ଭାରତର ନିର୍ବାଚନ କମିଶନ । ବର୍ତମାନ ରାଜନୈତିକ ଦଳଗୁଡ଼ିକ ୨୦ ହଜାର ଟଙ୍କା ତଳକୁ ଦାନ ଗ୍ରହଣ କଲେ ଦାତାଙ୍କ ସଂପର୍କରେ କୌଣସି ତଥ୍ୟ ଦେବାକୁ ପଡୁନାହିଁ । ଏହି ଗଳାବାଟ କାରଣରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ଅଧିକାଂଶ ଆୟ କେଉଁଠୁ ଆସୁଛି ଦର୍ଶାଉନଥିଲେ, ଅର୍ଥାତ୍ ଏହି ଆୟ ବେନାମୀ ଥିଲା ।

ଏଭଳି ଭାବେ ଦେଖିଲେ ଏହି ଦଳଗୁଡ଼ିକ ପାଣ୍ଠିକୁ ପ୍ରାୟ ୮୦ ପ୍ରତିଶତ ଅର୍ଥକୁ ଅଜଣା ସ୍ରୋତରୁ ଆସିଛି । ଯାହାକୁ ବେନାମୀ କୁହାଯାପାରିବ । ଏଥିରେ ଖୁବ୍ କମ୍ ପରିମାଣରେ ଛୋଟ ଚାନ୍ଦା ଥାଇପାରେ । ଅଧିକାଂଶ ଦଳ ଲୋକପ୍ରତିନିଧି ଆଇନ, ୧୯୫୧ରୁ ଖସିଯିବା ପାଇଁ ଦାନର ପରିମାଣକୁ ୨୦ ହଜାର ଟଙ୍କାରୁ କମାଇ ଦର୍ଶାଇଥାନ୍ତି । ଲୋକ ପ୍ରତିନିଧି ଆଇନରେ ସଂଶୋଧନ ଆଣି ଏହି ସୀମାକୁ ୨ ହଜାର ଟଙ୍କାକୁ ଖସାଇ ଦେବାକୁ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ।

ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜନୈତିକ ଦଳଗୁଡିକରେ ସ୍ୱଚ୍ଛତା ଆଣିବା ପ୍ରଥମ କାମ ହେବା ଉଚିତ । ବର୍ତମାନ ପର୍ଯ୍ୟନ୍ତ ଅଧିକାଂଶ ରାଜନୈତିକ ଦଳ ସୂଚନା ଅଧିକାର ଆଇନ ପରିସରରେ ଆସିବାକୁ ବିରୋଧ କରୁଛନ୍ତି । କୋଟି କୋଟି ଟଙ୍କା ଦାନ ଆଣୁଥିବା ଦଳଗୁଡ଼ିକ କାହିଁକି କିଛି ଟଙ୍କା ବ୍ୟୟ କରି ବ୍ୟବସ୍ଥାକୁ ସ୍ୱଚ୍ଛ ନକରିବେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।