ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର : ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ହେବ ଜୋରଦାର ଉଦ୍ୟମ

19

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ପ୍ରସ୍ତୁତି କରିଛନ୍ତି । ଆଜି ବିଜେପି ତରଫରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ସୁନ୍ଦରଗଡ ଓ ନୂଆପଡାରେ ପ୍ରଚାର କରିବେ ।

ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆଜି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି । ଆସନ୍ତା ୧୩ ତାରିଖରେ ୨୯ଟି ଜିଲ୍ଲାର ୬୫ଟି ବ୍ଲକରେ ନିର୍ବାଚନ ହେବ । ତାହା ମଧ୍ୟରେ ଅଛି ୧୮୯ଟି ଜିଲ୍ଲା ପରିଷଦ ଆସନ, ୧ହଜାର ୫୦୬ ଗ୍ରାମ ପଂଚାୟତ ଓ ୨୦ ହଜାର ୩୬୯ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୫୮ ଲକ୍ଷ ୨୮ହଜାର ୪୪୬ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । କେବଳ ଦେବଗଡ ଜିଲ୍ଲାକୁ ଛାଡିଦେଲେ ସବୁ ଜିଲ୍ଲାର କିଛି କିଛି ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।