କରୋନା ପ୍ରକୋପ : ୫୦ଲକ୍ଷ କୋଟି କ୍ଷତି; ରିଜର୍ଭ ବ୍ୟାଙ୍କର ଆକଳନ ୨୦୩୫ ସୁଦ୍ଧା କ୍ଷତି ସମ୍ପୂର୍ଣ୍ଣ ଭରଣା ହେବ

89

କନକ ବ୍ୟୁରୋ : କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜନଜୀବନ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ‌ଶ୍ରମିକ ଶ୍ରେଣୀର ଲୋକମାନେ ରୋଜଗାର ହରାଇ ପାଦରେ ଚାଲି ଚାଲି ଶହ ଶହ କିଲୋମିଟର ଯାତ୍ରା କରି ଘରକୁ ଫେରିବାର କରୁଣ ଦୃଶ୍ୟ ଦେଶବାସୀ ଦେଖିଥିଲେ । ଲୋକମାନେ ଭୋକଉପାସରେ ରହିବାକୁ ବାଧ୍ୟ ହୋଇଥିଲେ । ହଜାର ହଜାର ଲୋକ ଜୀବିକା ହରାଇ ବେକାର ହୋଇପଡ଼ିଥିଲେ । ଏହି ଭୟଙ୍କର ମହାମାରୀ ପ୍ରଭାବରେ ଅର୍ଥନୀତିର ମେରୁଦଣ୍ଡ ଦୋହଲାଇଦେଇଥିଲା । ପ୍ରତିଟି କ୍ଷେତ୍ରରେ ତାହାର ପ୍ରଭାବ ଅନୁଭୂତ ହୋଇଥିଲା ।

ସେଥିପାଇଁ ଅର୍ଥନୀତିକୁ ବିପୁଳ ପରିମାଣର ଉତ୍ପାଦନ କ୍ଷତି ସହିବାକୁ ପଡ଼ିଛି। ମହାମାରୀ ପ୍ରଭାବରେ ଭାରତୀୟ ଅର୍ଥନୀତି ଗତ ତିନି ବର୍ଷରେ ୫୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଆକଳନ କରାଯାଇଛି । ୨୦୨୦-୨୧ରେ ୧୯.୧ ଲକ୍ଷ କୋଟି ଟଙ୍କା, ୨୦୨୧-୨୨ରେ ୧୭.୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ୨୦୨୨-୨୩ରେ ୧୬.୪ ଲକ୍ଷ କୋଟି ଟଙ୍କାର କ୍ଷତି ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ମହାମାରୀ ଜନିତ କ୍ଷତି ସମ୍ପୂର୍ଣ୍ଣ ଭରଣା ହେବାଲାଗି ୧୦ ବର୍ଷରୁ ଅଧିକ ସମୟ ଲାଗିଯିବ । ୨୦୩୪-୩୫ ସୁଦ୍ଧା କ୍ଷତି ଭରଣା ହୋଇଯିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

ମୁଦ୍ରା ଓ ଫାଇନାନ୍ସ ସମ୍ପର୍କିତ ଏହି ରିପୋର୍ଟକୁ ରିଜର୍ଭ ବ୍ୟାଙ୍କର ଗବେଷଣା ଟିମ୍ ପ୍ରସ୍ତୁତ କରିଛି। ଏଥିରେ ଥିବା ସୁପାରିସକୁ ରିଜର୍ଭ ବ୍ୟାଙ୍କର ସୁପାରିସ ଭାବେ ବିଚାର କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍ ୧୯ ମହାମାରୀ ଦେଶ ପାଇଁ ଏକ ଐତିହାସିକ କ୍ଷଣ ଥିଲା ଏବଂ ବର୍ତ୍ତମାନ ଯେଉଁ ଢାଞ୍ଚାଗତ ପରିବର୍ତ୍ତନ ଚାଲିଛି ତାହାର ପ୍ରଭାବରେ ମଧ୍ୟବର୍ତ୍ତିକାଳୀନ ଭିତ୍ତିରେ ଅଭିବୃଦ୍ଧି ପ୍ରଭାବିତ ହେବାର ଆଶଙ୍କା ରହିଛି । ମଧ୍ୟବର୍ତ୍ତୀକାଳୀନ ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୬.୫%ରୁ ୮.୫% ଭିତରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଏହି ସ୍ତରର ଅଭିବୃଦ୍ଧି ବଜାୟ ରଖିବାକୁ ହେଲେ ଆସନ୍ତା ୫ ବର୍ଷ ଭିତରେ ସରକାରୀ ଋଣକୁ ଜିଡିପିର ୬୬% ତଳକୁ ଖସାଇବା ଲାଗି ସରକାରଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ରିପୋର୍ଟରେ ‌ପରାମର୍ଶ ଦିଆଯାଇଛି ।

ରିପୋର୍ଟର ମୁଖବନ୍ଧରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲେଖିଛନ୍ତି ଯେ ମହାମାରୀ କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ସୂଚନା ପ୍ରଯୁକ୍ତି ସେବା, ରପ୍ତାନି, ଡିଜିଟାଲ୍‌କରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ର ଆମକୁ ବିଶ୍ବାସ ଦେଇଛି ଯେ ଆମେ ଦୃଢ଼ ଭାବେ ପ୍ରତ୍ୟାବର୍ତନ କରିପାରିବା । ତେବେ ସରକାରଙ୍କ ଦ୍ବାରା ଅଧିକ ପୁଞ୍ଜି ବ୍ୟୟ, ଡିଜିଟାଲ୍‌କରଣ ଉପରେ ଗୁରୁତ୍ବ ଓ ଇ-କମର୍ସ, ଷ୍ଟାର୍ଟଅପ୍, ଅକ୍ଷୟ ଶକ୍ତି ଏବଂ ଯୋଆଣ ଶୃଙ୍ଖଳ ଆଦି କ୍ଷେତ୍ରରେ ନିବେଶ ଲାଗି ରହିଥିବା ସୁଯୋଗ ଯୋଗୁଁ ଅଭିବୃଦ୍ଧି ତ୍ବରାନ୍ବିତ ହୋଇପାରିବ ଏବଂ ଅର୍ଥନୀତିର ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ରହିଥିବା ଅନ୍ତରକୁ ଏହା ଦୂର କରିବାରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି ।