ଆସୁଛି ମୌସୁମୀ, ପୂର୍ବତଟ ରେଳ ପକ୍ଷରୁ ସତର୍କତା : ସମ୍ବେଦନଶୀଳ ସ୍ଥାନରେ ଜଗିବେ ଜଗୁଆଳି

251

କନକ ବ୍ୟୁରୋ : ଆସୁଛି ମୌସୁମୀ । ଜୁନ୍‌ ତୃତୀୟ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷାଜନିତ ବନ୍ୟା ପରିସ୍ଥିତି ସମୟରେ ରେଳ ଚଳାଚଳରେ ବାଧା ଉପୁଜିପାରେ । ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସାବଧାନତା ଓ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରାଯାଇଛି । ରେଳ ପୋଲ, ଟ୍ରାକ୍‌, ୟାର୍ଡ ଓ ସାଙ୍କେତିକ ପ୍ରଣାଳୀ କିଭଳି କ୍ଷତିଗ୍ରସ୍ତ ନ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ରେଳବ୍ରିଜ୍‌ ଓ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରେଳପଥ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୌସୁମୀକୁ ଦୃଷ୍ଟିରେ ରଖି ପାଣି ଧରି ରଖୁଥିବା ଓ ପାର୍ଶ୍ବ ଡ୍ରେନ୍‌ଗୁଡ଼ିକରୁ ପଙ୍କ, ଅଳିଆ ଓ ଅନ୍ୟ ଆବର୍ଜନାକୁ ସଫା କରାଯାଉଛି । ପାଣି ଜମା ହୋଇ ନ ରହିବା ପାଇଁ ପୋଲଗୁଡ଼ିକ ପାଖରୁ ଅଳିଆ ପରିଷ୍କାର କରାଯିବା ସହ ପଙ୍କ କଢ଼ାଯାଇଛି । ୨୪ ଘଣ୍ଟା ଖୋଲା ରହୁଥିବା ପୂର୍ବତଟ ରେଳପଥ କାର‌୍ୟ୍ୟାଳୟର ଅଧିକାରୀମାନେ କ୍ରମାଗତ ଭାବେ ପାଣିପାଗ ବିଭାଗ, ଆପଦ ପ୍ରବନ୍ଧନ କକ୍ଷ ଓ ବନ୍ୟାପ୍ରବଣ ଅଞ୍ଚଳରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କ ସହ ସମ୍ପର୍କରେ ରହି ନିରନ୍ତର ଭାବେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି । ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ସହ ସମନ୍ବୟ ରକ୍ଷା କରାଯାଉଛି ।

ପୋଲଗୁଡ଼ିକର ପିଲର୍‌ରେ ବିପଦ ସଙ୍କେତ ଚିହ୍ନକୁ ମଧ୍ୟ ନାଲି ଉଜ୍ଜ୍ବଳ ସାଂକେତିକ ବ୍ୟବସ୍ଥା କରାଯାଇଛି । ଯେପରି ରେଳବାଇ ପ୍ରହରୀ ଓ କର୍ମଚାରୀମାନେ ଏହାକୁ ଠିକ ଭାବେ ଦେଖିପାରିବେ । ରେଳଧାରଣା ଉପରେ ପାଣି ଜମା ହୋଇ ନ ରହିବା ପାଇଁ ଷ୍ଟେସନର ୟାର୍ଡ, ଡ୍ରେନ୍‌ଗୁଡ଼ିକୁ ମଧ୍ୟ ସ‌‌‌ଫେଇ କରାଯାଇଛି । ବର୍ଷା ସମୟରେ ରେଳଧାରଣା ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପ୍ରହରୀ ବା ଜଗୁଆଳି ବ୍ୟବସ୍ଥା କରାଯାଇଛି । କୌଣସି ବିପଦ ନଜରକୁ ଆସିଲେ, ସେମାନେ ଟ୍ରେନ୍‌କୁ ଅଟକାଇ ଯାତ୍ରୀମାନଙ୍କର ଜୀବନକୁ ସୁରକ୍ଷା ଦେଇପାରିବେ । ସମ୍ବେଦନଶୀଳ ଅଞ୍ଚଳରେ ପ୍ରହରୀ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପ୍ରବଳ ବର୍ଷା ସମୟରେ ରେଳ ସେକ୍ସନର ଗ୍ୟାଙ୍ଗ୍‌ମ୍ୟାନ୍‌ମାନେ ରେଳବ୍ରିଜ୍‌ ଓ ରେଳ ଧାରଣା ପ୍ରତି ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଫଳରେ ରେଳ ଚଳାଚଳକୁ ସ୍ବାଭାବିକ କରାଯିବା ସହ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇପାରିବ । ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବାଲାଷ୍ଟ/ପଥର, ବାଲିବସ୍ତା, ପାଉଁଶ ବସ୍ତା, ଖଣିଗୁଡ଼ିକରେ ଅବ୍ୟବହୃତ ମାଟି ଇତ୍ୟାଦି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର‌୍ୟ୍ୟାପ୍ତ ମାତ୍ରାରେ ଗଚ୍ଛିତ କରାଯାଉଛି । ଇଞ୍ଜିନିୟରିଂ ରିଲିଫ ଭ୍ୟାନ୍‌ ସହ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏହାବ୍ୟତୀତ ପୂର୍ବତଟ ରେଳପଥ ଭାରତୀୟ ପାଣିପାଗ ବିଭାଗ ସହ ମଧ୍ୟ ସଂପର୍କରେ ରହିଛି । ସୂଚନା ମିଳିବା କ୍ଷଣି କର୍ମଚାରୀଙ୍କୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିୟୋଜିତ କରାଯାଇପାରିବ ।