୧୬୦୦ ଟଙ୍କା ପାଇଁ ହତ୍ୟା ! ଯୌତୁକ ଜୁଇରେ ଜଳିଗଲା ଗେହ୍ଲା ଝିଅ

45

କନକ ବ୍ୟୁରୋ : ଯୌତୁକ ରାକ୍ଷସ କବଳରେ ପୁଣି ଚାଲିଗଲା ଜଣେ ନବବଧୂର ଜୀବନ । ଖୋଦ ରାଜଧାନୀ ଭୁବନେଶ୍ୱର ପାତ୍ରପଡାରୁ ଘଟିଛି ଏହି ଅଭାବନୀୟ ଘଟଣା । ସୁନା ସଂସାର ଗଢ଼ିବା ଆଗରୁ ବିବାହର ମାତ୍ର ୭ମାସରେ ଶଶୁର ଘର ଲୋକଙ୍କ ଶିକାର ପାଲଟି ଯାଇଛନ୍ତି ଖୋର୍ଦ୍ଧାର ଝିଅ ଲିଜା । ମାତ୍ର ୧୬ଶହ ଟଙ୍କାକୁ କେନ୍ଦ୍ର କରି ଶେଷରେ ଶଶୁର ଘର ଲୋକ ଝିଅକୁ ହତ୍ୟା କରିଛନ୍ତି ବୋଲି ଲିଜାଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି । ଦୁଇ ଦିନ ତଳେ ଲିଜା ୧୬୦୦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ କରିଥିଲେ ତାଙ୍କର ଶାଶୁଘର ଲୋକେ । ଆଉ ଶେଷରେ ତାଙ୍କୁ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଲିଜାଙ୍କ ପରିବାର ।

ସୂଚନା ଅନୁସାରେ, ଖୋର୍ଦ୍ଧାର ଲିଜାଙ୍କ ସହ ବିବାହ ହୋଇଥିଲା ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ରବୀନ୍ଦ୍ର ମହାରଣାଙ୍କର । ୭ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଲିଜାଙ୍କ ସବୁ ସ୍ୱପ୍ନ ଭାଙ୍ଗିଯାଇଥିଲା ମାତ୍ର ୭ ମାସ ଭିତରେ । ଲିଜାଙ୍କ ପରିବାର ଅଭିଯୋଗ କରିଛନ୍ତି, ବିବାହ ପରଠାରୁ ଯୌତୁକ ପାଇଁ ଲିଜାଙ୍କୁ ନିର୍ଯାତନା ଦେଉଥିଲେ ଶ୍ୱଶୁର ଘର ଲୋକେ । ସେପଟେ ହତ୍ୟା ପାଇବା ଅଭିଯୋଗ ପରେ ଶଶୁର ଘର ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି କମିଶନରେଟ୍ ପୋଲିସ । ମୃତ ଶରୀରକୁ ବ୍ୟବଚ୍ଛେଦ କରି ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

ଯୌତୁକ ନିରୋଧୀ ଆଇନକୁ କଡାକଡି କରାଯିବା ସତ୍ୱେ ଏବେ ମଧ୍ୟ ସଭ୍ୟ ସମାଜରେ ଘଟୁଛି ଏମିତି ସମ୍ବେଦନଶୀଳ ଘଟଣା । ଖୋଦ୍ ରାଜଧାନୀରେ ଯୌତୁକ ରାକ୍ଷସ କବଳରେ ଜୀବନ ହାରିଛନ୍ତି ପୁଣି ଜଣେ ନବବଧୂ ।