ରୋଗୀ ମୃତ୍ୟୁକୁ ନେଇ ନର୍ସଙ୍କୁ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ। କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଲେ ନର୍ସ ଓ ଡାକ୍ତର

ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଇଆଇସିଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣ

193

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମାଡ ଏବଂ ପରେ ପରେ ସାରା ଦେଶରେ ତାର ଜୋରଦାର ପ୍ରତିବାଦ ଓ ବନ୍ଦ ପାଳନ ମନରୁ ନଯାଉଣୁ ଆଜି ବାରିପଦାରେ ପୁଣି ଘଟିଛି ସେଭଳି ଏକ ଘଟଣା । ରୋଗୀ ମୃତ୍ୟୁକୁ ନେଇ ନର୍ସଙ୍କୁ ମାଡ ମାରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହାପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡିବସିଥିଲେ ନର୍ସ ଓ ଡାକ୍ତର । ନର୍ସ ଓ ଡାକ୍ତର, ଧାରଣା ଦେବାରୁ ବନ୍ଦ ହୋଇଯାଇଥିଲା ରୋଗୀସେବା । ସ୍ଥିତି ସେତେବେଳେ ସାମାନ୍ୟ ହୋଇଥିଲା ଯେତେବେଳେ ମାଡ ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମିଳିଥିଲା ।

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ସେବା ସେତେବେଳେ ବାଧାପ୍ରାପ୍ତ ହୋଇଥିଲା ଯେତେବେଳେ ଧାରଣାରେ ବସିଯାଇଥିଲେ ଡାକ୍ତର ଓ ନର୍ସ । ଜଣେ ନର୍ସକୁ ମାଡ ମରାଯିବାକୁ କେନ୍ଦ୍ରକରି ଆରମ୍ଭ ହୋଇଥିଲା ଏହି ବିବାଦ । ପୋଲିସର ସୂଚନା ଅନୁସାରେ, ଝାରପୋଖରିଆ ଅଂଚଳର ଜଣେ ୪୭ବର୍ଷିୟ ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁକୁ ନେଇ ରୋଗୀଙ୍କ ସମ୍ପର୍କିୟ ଓ ଡାକ୍ତର , ନର୍ସଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ , ଠେଲାପେଲା । ଏହି ସମୟରେ ଆସିଗଲେ ଆଉ ଜଣେ ଗୁରୁତର ରୋଗୀ । ଏହି ରୋଗୀଙ୍କ ନିକଟକୁ ଯିବା ବେଳେ ଡାକ୍ତର ଓ ନର୍ସଙ୍କ ସାମାନ୍ୟ ବିଳମ୍ବ ହେବାରୁ ନର୍ସଙ୍କୁ ମାଡ ମାରିଥିଲେ ଲୋକେ ।

କାର୍ଯ୍ୟରତ ନର୍ସଙ୍କୁ ରୋଗୀ ସଂପର୍କୀୟ ମାଡ ମାରିଥିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଡାକ୍ତର ଓ ନର୍ସ । ସମସ୍ତ ଡାକ୍ତର ଓ ନର୍ସଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସେମାନେ ପ୍ରତିବାଦ କରିଥିଲେ । ଠପ ହୋଇଯାଇଥିଲା ରୋଗୀ ସେବା । ଘଟଣାସ୍ଥଳରେ ସିଡିଏମଓ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ନର୍ସଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ଧାରଣାରତ ଡାକ୍ତର ଓ ନର୍ସ ।

ନିକଟରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ମାଡ ହେବାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିଲା ଅଚଳାବସ୍ଥା । ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ସାରା ଦେଶରେ ଏକାଠି ହୋଇଥିଲେ ଡାକ୍ତର । ପୁଣିଥରେ ବାରିପଦାରେ ସମାନଧରଣର ଘଟଣା, ଡାକ୍ତରଖାନାରେ ନର୍ସ ଓ ଡାକ୍ତରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।