ସୋସିଆଲ ମିଡ଼ିଆରେ ଡାକ୍ତରଙ୍କ ଅଶ୍ଲୀଳ ପ୍ରେମ ନିବେଦନ! ରାତି କାଟିବାକୁ ମହିଳା ଡାକ୍ତରଙ୍କୁ ଦେଇଥିଲେ ୩୦ ହଜାରର ଅଫର

49

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଆଉ ଏକ ରୂପ । ଯାହା ଡାକ୍ତରଙ୍କ ପ୍ରତିଥିବା ଆପଣଙ୍କ ଧାରଣା ହୁଏତ ବଦଳାଇ ଦେବ । ରାତି କାଟିବା ପାଇଁ ଡାକୁଛନ୍ତି ଡାକ୍ତର । ଏମିତିକି ଫେସବୁକରେ ଗୋଟିଏ ରାତି ପାଇଁ ୩୦ ହଜାର ଟଙ୍କା ଯାଏଁ ଦେବାକୁ ଅଫର ଦେଉଛନ୍ତି । ବଡ଼ କଥା ହେଲା- ଡାକ୍ତର ଜଣକ ଏହି ଅଶ୍ଲିଳ ମ୍ୟାସେଜ୍ ପଠାଉଛନ୍ତି ଜଣେ ମହିଳା ଡାକ୍ତରଙ୍କୁ । ସଂପୃକ୍ତ ମହିଳା ଜଣକ ବାରମ୍ବାର ତାଗିଦ୍ ପରେ ବି ଘରୋଇ ହସ୍ପିଟାଲରେ କାମ କରୁଥିବା ଡାକ୍ତର ମ୍ୟାସେଜ୍ କରି ଚାଲିଥିଲେ । ଆଉ ଏଥିରେ ବିରକ୍ତ ହୋଇ, ଶେଷରେ ଏହି ଡାକ୍ତର କରିଥିବା ସମସ୍ତ ମ୍ୟାସେଜର ସ୍କ୍ରିନ୍ ସଟକୁ ତାଙ୍କ ଫେସବୁକ୍ ଆକାଉଂଟରେ ସେୟାର କରିଛନ୍ତି ମହିଳା ଡାକ୍ତର । ଏହାସହ ପୁରୁଷ ଡାକ୍ତରଙ୍କ ଅସଲି ମୁଖା ଖୋଲି ଦେଇଛନ୍ତି ମହିଳା ଜଣକ ।

ପୁରୁଷ ଡାକ୍ତର ଜଣକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବା ବେଳେ ଅଭିଯୋଗ ଆଣିଥିବା ମହିଳା ଡାକ୍ତର ଜଣକ କଟକର ଏକ ସରକାରୀ ଡାକ୍ତରଖାନାରେ ଅଛନ୍ତି । ଫେସବୁକରେ ମ୍ୟାସେଜ୍ ବେଳେ ମହିଳା ଡାକ୍ତର ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପାଇଁ ଘରୋଇ ହସ୍ପିଟାଲରେ କୌଣସି ନିଯୁକ୍ତି ସୁଯୋଗ ଅଛି କି ବୋଲି ଏହି ପୁରୁଷ ଡାକ୍ତରଙ୍କୁ ପଚାରିଥିଲେ । ଆଉ ଏହାର ସୁଯୋଗ ନେଇ ବାରମ୍ବାର ଅଶ୍ଲିଳ ମ୍ୟାସେଜ୍ ପଠାଇଥିଲେ । ବାରମ୍ବାର ବିରୋଧ କରିବା ସତ୍ତେ୍ୱ ମଧ୍ୟ ଏଥିରୁ ବିରତ ହୋଇନଥିଲେ ପୁରୁଷ ଡାକ୍ତର । ଏମିତି କି ଗୋଟିଏ ରାତି ପାଇଁ କେତେ ଟଙ୍କା ନେବେ ବୋଲି ସେ ପଚାରିଥିଲେ । ୧୦ ହଜାରରୁ ଆରମ୍ଭ କରି ୩୦ ହଜାର ଟଙ୍କା ଯାଏଁ ଦେବା ପାଇଁ ସେ ପ୍ରସ୍ତୁତ ଥିବା ମ୍ୟାସେଜରେ ଏହି ଡାକ୍ତର ଜଣକ ଲେଖିଛନ୍ତି । ମନ୍ତ୍ରୀସ୍ତରରେ ମଧ୍ୟ ତାଙ୍କ ପରିଚୟ ଥିବାର କଥା ମ୍ୟାସେଜରେ ଲେଖିଛନ୍ତି ପୁରୁଷ ଡାକ୍ତର ଜଣକ ।

ଏଭଳି ଡାକ୍ତରଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଅଣ୍ଟା ଭିଡିଥିଲେ ମହିଳା ଡାକ୍ତର । ମନକୁ ଟାଣ କରି ପୂରା ସମାଜ ଆଗରେ ଖୋଲି ଦେଇଥିଲେ ପୁରୁଷ ଡାକ୍ତରଙ୍କ ଅସଲି ମୁଖା । ଆଉ ଏଥିପାଇଁ ସୋସିଆଲ ମିଡିଆର ସାହାର୍ଯ୍ୟ ନେଇଥିଲେ ମହିଳା ଡାକ୍ତର । ଏଭଳି କରିବା ଦ୍ୱାରା ତାଙ୍କ ପରିବାରକୁ ଖରାପ ଲାଗୁଥିବ କିନ୍ତୁ ସେ ଯାହା କରିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି ମହିଳା ଡାକ୍ତର । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା ।