ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।

82

କନକ ବ୍ୟୁରୋ: ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ ଯାଏଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ୧୯୯୩ ମସିହାରେ ନାବାର୍ଡ ବ୍ୟାଙ୍କ ପାଇଁ ଆରମ୍ଭ ହୋଇଥିବା ପେନସନ ସ୍କିମକୁ ବର୍ତ୍ତମାନ ସୁଦ୍ଧା ସଂଶୋଧନ କରାଯାଇନାହିଁ ।  ଏନେଇ ଗତ ଦୁଇବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନି । ଯାହା ଫଳରେ ଅବସରଗ୍ରହଣ କରିଥିବା କର୍ମଚାରୀମାନେ ଏବେ ବହୁତ କମ ପରିମାଣର ପେନସନ ପାଉଛନ୍ତି । ତେଣୁ ତୁରନ୍ତ ସ୍କିମରେ ସଂଶୋଧନ ଆଣିବାକୁ ସେମାନେ ଦାବି କରିଛନ୍ତି ।

ଏନେଇ ନାବାର୍ଡର ଉଚ୍ଚ ଅଧିକାରୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗକୁ ସୂଚନା ଦେଇଥିଲେ ବି ସେପଟୁ କୌଣସି ଅନୁମତି ମିଳିନି । ଗତ ଦୁଇ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି । ତେଣୁ ନାବାର୍ଡର ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣାରେ ବସିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି ।