ନାରୀତ୍ୱକୁ ସମ୍ମାନ ଦେବାର ପର୍ବ ‘ରଜ’: ସୋସିଆଲ୍ ମିଡିଆରେ ଚର୍ଚ୍ଚା, ନାରୀତ୍ୱକୁ ନେଇ ଉତ୍ସବ ବେଳେ ପିରିୟଡ୍ସକୁ ନେଇ କାହିଁକି ରହିଛି ଭିନ୍ନ ଧାରଣା

228

କନକ ବ୍ୟୁରୋ: ରଜ ସମୟରେ ରଜସ୍ୱଳା ହୁଏ ଧରିତ୍ରୀ । ନାରୀତ୍ୱକୁ ସମ୍ମାନ ଦେବାର ପର୍ବ ହେଉଛି ‘ରଜ’ । ସାଙ୍କେତିକ ଭାବେ ଝିଅମାନେ ପାଳନ କରିଥାନ୍ତି ରଜ । ଗୋଟିଏ ପଟେ ରଜକୁ ନେଇ ସମସ୍ତେ ଉତ୍ସବ ମୁଖର ହେଉଥିବା ବେଳେ ଅନ୍ୟପଟେ ଋତୁସ୍ରାବ ବା ପିରିୟଡସକୁ ନେଇ ଏବେ ବି ରହିଛି ଅନେକ ଭ୍ରାନ୍ତ ଧାରଣା ।

ରଜ…ମାଆ ଓ ମାଟିର ପର୍ବ । ଆନନ୍ଦ ଓ ଉଲ୍ଲାସର ପର୍ବ । ପ୍ରତିବର୍ଷ ରଜ ଆସେ, ବର୍ଷା ଭିଜା ମାଟିର ସୁଗନ୍ଧରେ । କିନ୍ତୁ ଏହା ପଛରେ ଯେଉଁ ବିଶ୍ୱାସ ରହିଛି, ତାହା ଆଜି ମଧ୍ୟ ଗୁରୁତ୍ୱ ରଖେ । ବିଶ୍ୱାସ ରହିଛି ଏହି ଦିନ ପୃଥିବୀ ରଜସ୍ୱଳା ହୁଏ । ସେଥିପାଇଁ ତିନି ଦିନ ଧରି ମାଟି ମାଆକୁ ବି ପୂଜା କରାଯାଏ । ସାଙ୍କେତିକ ଭାବେ ଝିଅମାନେ ପାଳନ କରିଥାନ୍ତି ରଜ । ହାତରେ ମେହେନ୍ଦୀ ଲଗାଇ, ନୂଆ ନୂଆ ପୋଷାକ ପିନ୍ଧି, ଦୋଳି ଖେଳି ଝିଅମାନେ ଉତ୍ସବମୁଖର ହୋଇଥାନ୍ତି । ଗୋଟିଏ ପଟେ ରଜକୁ ନେଇ ଆମେ ସମସ୍ତେ ଉତ୍ସବ ମୁଖର ହେଉଥିବା ବେଳେ ଅନ୍ୟପଟେ ଋତୁସ୍ରାବକୁ ନେଇ ଏବେ ବି ରହିଛି ଅନେକ ଭ୍ରାନ୍ତ ଧାରଣା । ଋତୁସ୍ରାବ ହେଲେ ଘରର ଚାରିକାନ୍ଥ ଭିତରେ କଟକଣା ଭିତରେ ରହିବାକୁ ବାଧ୍ୟ ହୁଅନ୍ତି ଝିଅମାନେ ।

ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ବି ବଦଳୁଛି । ଧୀରେ ଧୀରେ ଋତୁସ୍ରାବକୁ ନେଇ ମନ ଭିତରେ ଥିବା ଧାରଣାରେ ପରିବର୍ତନ ଆସୁଛି । ତେବେ ଋତୁସ୍ରାବକୁ ନେଇ ଚାଲି ଆସୁଥିବା ପ୍ରଥାରେ ପରିବର୍ତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ମହିଳା ।

କାହିଁ କେଉଁ କାଳରୁ ଓଡ଼ିଶାରେ ରଜ ଉତ୍ସବ ପାଳନ ହେଉଛି । ଅର୍ଥାତ ନାରୀତ୍ୱକୁ ସମ୍ମାନ ଦେଇ ରଜକୁ ଗଣଉତ୍ସବର ମାନ୍ୟତା ମିଳିିଛି । କିନ୍ତୁ ଏହା ପଛରେ ଯେଉଁ ସାଂସ୍କୃତିକ ଓ ସାମାଜିକ କାରଣ ରହିଛି, ତାକୁ ଆମେ ଠିକ୍ ଭାବେ ବୁଝି ପାରିନାହୁଁ । ନହେଲେ ଋତୁସ୍ରାବକୁ ନେଇ ମାନସିକ ଓ ସାମାଜିକ କଟକଣା ରହିନଥାନ୍ତା ।