ବାହାରକୁ ଆସିଲା ଭିତର ନିଆଁ ! ବିଜେପି ଦଳରେ ଜଳିଲା ଦୁଇ ହେଭିୱେଟ ନେତାଙ୍କ କୁଶପତ୍ତଳିକା !

48

କନକ ବ୍ୟୁରୋ : ନେତାଙ୍କ ପାଇଁ କର୍ମୀଙ୍କ ଦରଦ । ବରିଷ୍ଠ ନେତା ବିଜୟ ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବିଦା ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ତାଙ୍କ ସମର୍ଥକ । ପୁରା ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କ କୁଶପୁତ୍ତଳିକା ଜଳାଇଛନ୍ତି । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ସମର୍ଥକ ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗ କରି ପାଲଟା ବିଜୟ ମହାପାତ୍ରଙ୍କ କୁଶପୁତଳିକା ଦାହ କରିଛନ୍ତି । ଯାହା ବିଜେପି ଭିତରେ ଥିବା ଫାଟକୁ ପଦାରେ ପକାଇଛି ।

vlcsnap-2017-12-23-21h41m16s084ବିଜୟ ମହପାତ୍ର ବନାମ ଧର୍ମେନ୍ଦ୍ର ପ୍ରଧାନ ।ନେତାଙ୍କ ପତିଆରା ପାଇଁ କର୍ମୀଙ୍କ ଲଢ଼େଇ ।ବିଜୟ ମହାପାତ୍ରଙ୍କ ସମର୍ଥନରେ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ଜଳୁଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ ବିଜୟଙ୍କ କୁଶପୁତଳିକା ଦାହ ହେଉଛି । ବିଜୟ ମହାପାତ୍ରଙ୍କ ଘର ଆଗରେ ତାଙ୍କ ସମର୍ଥକ ଧର୍ମେନ୍ଦ୍ରଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ କୁଶପୁତଳିକା ଦାହ କରିଥିବା ବେଳେ ସେହି କେନ୍ଦ୍ରାପଡ଼ା ଜିଲ୍ଲାରେ ଧର୍ମେନ୍ଦ୍ରଙ୍କ ସମର୍ଥକ ବିଜୟ ମହାପାତ୍ରଙ୍କ କୁଶପୁତଳିକା ଜାଳିଛନ୍ତି । ନେତାଙ୍କ ସମର୍ଥନରେ ବାହାରିଛନ୍ତି ସମର୍ଥକ ।

ବିଜେପିର ଦୁଇ ତୁଙ୍ଗ ନେତା, ବିଜୟ ମହପାତ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନ । ଜଣେ କେନ୍ଦ୍ରମନ୍ତ୍ରୀ, ଯାହାଙ୍କୁ ଓଡ଼ିଶାରେ ବିଜେପିର ପୋଷ୍ଟର ବୟ ବୋଲି କୁହାଯାଉଛି । ଅନ୍ୟ ଜଣେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ଯିଏ ଓଡ଼ିଶା ରାଜନୀତିର ଜଣେ ପୋଖତ ଖେଳାଳି । କିନ୍ତୁ ନେତାଙ୍କ ପାଇଁ ସମର୍ଥକଙ୍କ ସଂଘର୍ଷ ବିଜୟ ମହାପାତ୍ରଙ୍କୁ ମହଙ୍ଗା ପଡିଛି । ବିଜେପି ମିଶ୍ରଣ ପର୍ବରେ ବିଜୟଙ୍କ ସମର୍ଥକ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ରକରି ତାଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କୃତ ହେବାକୁ ପଡିଛି ।

ବିଜୟ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ କିଛି କହିବାକୁ ଚାହୁଁନଥିଲେ ବି ଫେସ୍ବୁକରେ ଯାହା ପୋଷ୍ଟ କରିଛନ୍ତି, ତାକୁ ପାଲଟା ବିଜେପିକୁ ହରଡ଼ଘଣାରେ ପକାଇଛି । ବିଜୟ ଲେଖିଛନ୍ତି:

-ଓଡ଼ିଶାର ଲୋକଙ୍କ ପାଇଁ ଯଦି ମହାନଦୀ ପ୍ରସଙ୍ଗ ଉଠାଇବା ଅପରାଧ, ମୁଁ ଅପରାଧୀ
-ଆଇଓସିଏଲରେ ଓଡ଼ିଶା ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇବା ଯଦି ଅପରାଧ, ମୁଁ ଅପରାଧୀ
-ଆତ୍ମରକ୍ଷା କରି ଯଦି ରାଜନୀତି କରାଯିବା ଅପରାଧ, ମୁଁ ଅପରାଧୀ
-ଦଳ ଭିତରେ ଚାଟୁକାର ଓ ଦଲାଲି ନକରିବା ଯଦି ଅପରାଧ, ମୁଁ ଅପରାଧୀ

ଆଉ ଏପଟେ ବିଜୟ ମହାପାତ୍ର ଓ ତାଙ୍କର କିଛି ସମର୍ଥକଙ୍କୁ ବିଜେପିରୁ ବହିଷ୍କାର ପାଇଁ ଜିଲ୍ଲା କମିଟି ସୁପାରିଶ କରିଛି । ହେଲେ ଦଳୀୟ ମୁଖପାତ୍ର କହୁଛନ୍ତି- ପୁରା ଘଟଣାର ତଦନ୍ତ ହେବ । ଏବେ ଦେଖିବାର କଥା, ବିଜୟଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ ହେଉଛି ଏବଂ ଏହାକୁ ନେଇ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବିଜୟ ମହାପାତ୍ର ।