ପାରିବାରିକ କଳହରେ ପ୍ରତିଦିନ ନୂଆ ଅଧ୍ୟାୟ । ୭ ଦିନ ଏକାଠି ରହିବା ପରେ ବି ମିଶିଲାନି ୭ ଜନ୍ମର ସାଥୀଙ୍କ ମନ

193

କନକ ବ୍ୟୁରୋ: ତପସ୍ୱିନୀ-ସୁମିତ ବିବାଦ ନାଟକୀୟ ମୋଡ଼ ନେବାରେ ଲାଗିଛି । ଗୋଟିଏ ଛାତ ତଳେ ସପ୍ତାହେ ବିତାଇବା ପରେ ଆଶା କରାଯାଉଥିଲା ବିବାଦର ପୂର୍ଣ୍ଣଛେଦ ପଡିଲା । ଏହାପରେ କୋର୍ଟ ମଧ୍ୟ କହିଥିଲେ, ସେମାନେ ଶୁଣାଣୀର ଶେଷ ପର୍ଯ୍ୟନ୍ତ ଏକାଠି ରୁହନ୍ତୁ । ହେଲେ ଏହାର ଦିନକ ପରେ ତପସ୍ୱିନୀଙ୍କ ଅଭିଯୋଗ, ଫେରାର ହୋଇ ଯାଇଛନ୍ତି ଡାକ୍ତର ସ୍ୱାମୀ ସୁମିତ । ଏଥିରୁ ଜଣାପଡୁଛି ଗୋଟିଏ ଛାତ ତଳେ ଏକ ସପ୍ତାହ ଏକାଠି ରହିଥିଲେ ବି ଦୁଇ ଜଣଙ୍କ ମଧ୍ୟରେ କିଛି ଠିକ ଠାକ୍ ନଥିଲା ।

ତେବେ କୋର୍ଟଙ୍କ ହସ୍ତକ୍ଷେପ ପରେ ତପସ୍ୱିନୀ-ସୁମିତ ଗୋଟିଏ ଛାତ ତଳେ ସପ୍ତାହେ ବିତାଇଲେ । ଆଶା କରାଯାଉଥିଲା ବିବାଦରେ ଯବନିକା ପଡିବ । କିନ୍ତୁ ହଠାତ୍ ଶାରୀରିକ ଅସୁସ୍ଥତା ପାଇଁ ହସ୍ପିଟାଲରୁ ଛୁଟି ନେଇ ଫେରାର ହୋଇ ଯାଇଛନ୍ତି ଡାକ୍ତର ସୁମିତ ସାହୁ । ଆଉ ଏବେ ସୁମିତଙ୍କୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ତପସ୍ୱିନୀ । ଏକାଠି ରହିବାବେଳେ ସ୍ୱାମୀ ସୁମିତଙ୍କ ଆଚରଣ ଠିକଠାକ ନଥିଲା ବୋଲି କହିଛନ୍ତି ତପସ୍ୱିନୀ । ଓକିଲଙ୍କ ଇଙ୍ଗିତରେ ଓ ପରିବାରର ଚାପରେ ସୁମିତ ଚମ୍ପଟ ମାରିଛନ୍ତି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ତପସ୍ୱିନୀ ।

  • କୋର୍ଟଙ୍କ ନିର୍ଦ୍ଦେଶକୁ ସୁମିତ କଲେ କି ଉଲ୍ଲଂଘନ?
  • କ୍ୟାମେରାରେ କଥା କଟାକଟି ହେଲେ ଦୁଇ ପକ୍ଷର ଓକିଲ

ଗତ ୯ ତାରିଖରେ ମାମଲାର ଶୁଣାଣି କରି ବ୍ରହ୍ମପୁର ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତପସ୍ୱିନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭଡାଘର ଯୋଗାଡ କରିବେ ସୁମିତ ସାହୁ । ଯେଉଁଠି ବିଜୁଳି ଓ ପାଣି ସଂଯୋଗ ସହିତ ଆବଶ୍ୟକ ପରିମଳ ବ୍ୟବସ୍ଥା ରହିଥିବ । ସେହିପରି ତପସ୍ୱିନୀଙ୍କୁ ଖାଦ୍ୟ ଏବଂ ଔଷଧ ସହ ଅନ୍ୟନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବେ । ଏପରିକି ମାମଲାର ଶୁଣାଣି ଶେଷ ହେବାଯାଏଁ ଏହି ଦାୟିତ୍ୱ ନିର୍ବାହ କରିବେ ସ୍ୱାମୀ ସୁମିତ । ଏହି ସମୟ ମଧ୍ୟରେ ଆସ୍କା ଆଇଆଇସି ମଧ୍ୟ ତପସ୍ୱିନୀଙ୍କ ଷ୍ଟାଟସ ରିପୋର୍ଟରେ କୋର୍ଟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ ତପସ୍ୱିନୀ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସୁମିତ ଫେରାର ହୋଇଯିବା କୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ ।