କିଏ ନେଇଗଲା ଠାକୁରଙ୍କ ଦାନ ସୁନା । ଅଧିକୃତ ଅଧିକାରୀଙ୍କ ବଦଳରେ ସେବକ ଓ ପଦାଧିକାରୀଙ୍କ ପାଖରେ ରହିଛି ଅଳଙ୍କାର ।

110

କନକ ବ୍ୟୁରୋ: ଠାକୁରଙ୍କୁ ମିଳୁଥିବା ଦାନ ସୁନା ଆଉ ଏହାର ରକ୍ଷଣାବେକ୍ଷଣ ଉପରେ ଏକ ବଡ ଅସଙ୍ଗତି ସାମ୍ନାକୁ ଆସିଛି । ବର୍ଷ ୨୦୨୦ ପାଇଁ ସାଧାରଣ ଓ ସାମାଜିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ଦାନ ଆକାରରେ ମିଳିଥିବା ବହୁ ପରିମାଣର ସୁନା ସ୍ଥିରିକୃତ ଅଧିକାରୀଙ୍କ ନିକଟରେ ରହିବା ବଦଳରେ, ସେବକ ଓ ଅନ୍ୟ ପଦାଧିକାରୀଙ୍କ ନିକଟରେ ରହିଥିଲା । ମୋଟ ସୁନାର ୩୮ ପ୍ରତିଶତ ଅର୍ଥାତ୍ ପ୍ରାୟ ୯ କେଜି ସୁନା ଓ ୪୯ ପ୍ରତିଶତ ଅର୍ଥାତ୍ ୧୩୯ କେଜି ରୂପା ମନ୍ଦିର ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀଙ୍କ ନିକଟରେ ନଥିଲା । ଏହାକୁ ଅତ୍ୟନ୍ତ ଅନିୟମିତ ବୋଲି ନିଜ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ।

ଏତେ ବିପୁଳ ପରିମାଣର ଅଳଙ୍କାର କିଭଳି ଅନ୍ୟ ବ୍ୟକ୍ତି ବିଶେଷଙ୍କ ନିକଟରେ ରହିଲା, ତାକୁ ନେଇ ପ୍ରଶ୍ନ ଉଠିଛି । ମା’ ଶାରଳା ମନ୍ଦିର କ୍ଷେତ୍ରରେ ଯଦିଓ ନିର୍ବାହୀ ଅଧିକାରୀ ଏକକ ତତ୍ତ୍ୱାବଧାରକ ଭାବେ ପ୍ରାଧିକୃତ ଥିଲେ ତଥାପି ସାଢେ ୫ କେଜିରୁ ଅଧିକ ସୁନା ୯୩ କେଜିରୁ ଅଧିକ ରୂପା ସେବକ ଏବଂ ନିର୍ବାହୀ ଅଧିକାରୀଙ୍କ ବ୍ୟତୀତ ପଦାଧିକାରୀଙ୍କ ହେପାଜତରେ ଥିଲା । ଯେହେତୁ ନିର୍ବାହୀ ଅଧିକାରୀ ଅଳଙ୍କାର ଗୁଡିକର ଦାୟିତ୍ୱ ନେବାରେ ବିଫଳ ହେଲେ, ଏହା ପରିବର୍ତ୍ତେ ଅନଧିକୃତ ବ୍ୟକ୍ତିବିଶେଷଙ୍କୁ ତତ୍ତ୍ୱାବଧାରକ ଭାବେ ଅନୁମତି ଦେଇଦେଲେ । ପରବର୍ତୀ ସମୟରେ ଏନେଇ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଥିଲା ।

ସେହିଭଳି ମା ଉଗ୍ରତାରା ମନ୍ଦିର କ୍ଷେତ୍ରରେ ସମସ୍ତ ସୁନା ଓ ରୂପା ସେବକ ଏବଂ ପଦାଧିକାରୀଙ୍କ ନିକଟରେ ରହିଥିଲା । ବଡ କଥା ହେଉଛି, ଠାକୁରଙ୍କ ସୁନା ଚୋରୀ ନେଇ ତିନୋଟି ମାମଲା ରୁଜ୍ଜୁ ହୋଇଥିଲା । ଯେଉଁଥିରେ ଠାକୁରଙ୍କର ଅଧିକାଂଶ ଅଳଙ୍କାର ଚୋରୀ ହୋଇଥିବା ଦର୍ଶାଯାଇଥିଲା । ଏହାସତ୍ୱେ ବି ଅଳଙ୍କାର ଗୁଡିକୁ ଅନଧିକୃତ ବ୍ୟକ୍ତିଙ୍କ ଅଧୀନରେ ହିଁ ରଖାଯାଇଥିଲା । ଶ୍ରୀ ଗୋରଖନାଥ ମନ୍ଦିର କ୍ଷେତ୍ରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା ।

ବଡ କଥା ହେଉଛି, ଆଖଣ୍ଡଳମଣୀ ମନ୍ଦିର କ୍ଷେତ୍ରରେ ଅଳଙ୍କାର ଥିବା କୋଷାଗାର ଆଇରନ୍ ଚେଷ୍ଟ ଚାବି ହଜିବା ଏକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି । ଆଇରନ୍ ଚେଷ୍ଟର ଦୁଇଟି ଚାବି ଅଧିକୃତ ଅଧିକାରୀଙ୍କ ନିକଟରୁ ମିଳିବା ବଦଳରେ ଅନଧିକୃତ ବ୍ୟକ୍ତିଙ୍କ ନିକଟରୁ ମିଳିଥିଲା । ଯାହା ରେକର୍ଡ ଅନୁଯାୟୀ ସୁନା ସାମଗ୍ରୀର ଉପଲବ୍ଧତା ଉପରେ ସନ୍ଦେହ ସୃଷ୍ଟି କରିଥିଲା । ପ୍ରାୟ ୫ କୋଟି ଟଙ୍କାର ସୁନା ଓ ରୁପା ଅଳଙ୍କାର ଅନଧିକୃତ ବ୍ୟକ୍ତିଙ୍କ ନିକଟରେ ରହିବା ଏହାର ନିରାପତା ଉପରେ ସନ୍ଦେହ ସୃଷ୍ଟି କରିଥିଲା । ମା’ ଚଣ୍ଡୀ ମନ୍ଦିରରେ ୫୭୯ ଗ୍ରାମ ସୁନା ଏବଂ ୫୨ କେଜି ରୁପାର ଅସଙ୍ଗତି ଲକ୍ଷ୍ୟ କରାଯାଇଥିଲା । ଯାହାର କୈାଣସି ସନ୍ତୋଷଜନକ ଉତର ଏଯାଏଁ ମିଳିନଥିବା ଜଣାପଡିଛି । କିଭଳି ଠାକୁରଙ୍କ ଦାନ ସଂପତି ଅନ୍ୟ ବ୍ୟକ୍ତିବିଶେଷଙ୍କ ନିକଟକୁ ଯାଉଛି ତାହା ଉପରେ ଏକ ବଡ ଧରଣର ବିବାଦ ସୃଷ୍ଟି କରିଛି ସିଏଜିଙ୍କ ଏହି ରିପୋର୍ଟ ।