ବରଗଡରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣା ! ସିିଇସିଙ୍କୁ ଏସପିଙ୍କ ରିପୋର୍ଟ ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ,ସତସାହସ ଅଛି ଇଡିକୁ ଦିଆଯାଉ ତଦନ୍ତଭାର

21

କନକ ବ୍ୟୁରୋ: ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ନେଇ ସିଇସିଙ୍କୁ ବରଗଡ ଏସପି ରିପୋର୍ଟ ଦେବା ପ୍ରସଙ୍ଗରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଚ୍ୟାଲେଞ୍ଜ କରିଛନ୍ତି ଯଦି ସତସାହସ ଅଛି ତାହାହେଲେ ଇଡିଙ୍କୁ ତଦନ୍ତ ଭାର ଦିଆଯାଉ । ସେ ଅଭିଯୋଗ କରିଛନ୍ତି ବିଜେଡି ହାରିବା ଭୟରେ ପଇଁତରା ମାରୁଛି । ଶନିବାର ରାତିରେ ବିଜେପୁରରୁ ୪୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ବରଗଡ ମହୁଲପାଲି ଛକରୁ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କା ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ଦେଇଥିଲା ପୋଲିସ । ଧରା ପଡିଥିବା ଅଭିଯୁକ୍ତ ଆକାଶ ଅଗ୍ରୱାଲ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଜେପିର ସକ୍ରିୟ ସଦସ୍ୟ ବୋଲି ବରଗଡ ଏସପି ଓ ପଦ୍ମପୁର ଏଏସଆଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲେ ।

ବରଗଡ ଏସପି ଲେଖିଥିଲେ ଯେ, ଆକାଶ ଅଗ୍ରୱାଲ ଏହି ଟଙ୍କା ନିଜ ବ୍ୟବସାୟ କିମ୍ବା କାହାଠାରୁ ଉଧାର ଆଣି ନାହାନ୍ତି । ତେଣୁ ଭୋଟରଙ୍କୁ ଲାଂଚ ଦେବା ଉଦ୍ଦେଶ୍ୟରେ ଏହି ଟଙ୍କା ନିଆଯାଉଥିଲା ବୋଲି ଏସପି ତାଙ୍କ ରିପୋର୍ଟରେ ଲେଖିଥିଲେି । ଏଥିପାଇଁ ଆକାଶ ଅଗ୍ରୱାଲ ଓ ତାଙ୍କ ବାପା ଓମ ପ୍ରକାଶ ଅଗ୍ରୱାଲଙ୍କୁ ଦାୟୀ କରି ରିପୋର୍ଟ ଦେଇଥିଲେ ଏସପି ।

ସେପଟେ ଚ୍ୟାଲେଞ୍ଜକୁ ଗ୍ରହଣ କରିଛି ବିଜେଡି । ବିଜେଡି ସାଂସଦ ପ୍ରତାବ ଦେବ କହିଛନ୍ତି, ଇଡି ଓ ଆଇଟି କେନ୍ଦ୍ରର । ତୁରନ୍ତ ଘଟଣାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ସୋସିଆଲ ଆକାଂଉଟ ଯାଂଚ ହେଉ । ହାରିବା ଭୟରେ କେନ୍ଦ୍ରମନ୍ତ୍ରୀ ଏଭଳି କହୁଛନ୍ତି । ଯାଂଚ ହେଲେ କିଏ ଠିକ କିଏ ଭୁଲ ଜଣାପଡିବ । କଥାକୁ କାମରେ ପରିଣତ କରି ଧର୍ମେନ୍ଦ୍ର ଦେଖାନ୍ତୁ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି ।