ରାଜ୍ୟର ସମସ୍ତ ଥାନା ହେବ କାଗଜମୁକ୍ତ ! ଅନଲାଇନରେ ସ˚ରକ୍ଷିତ ରହିବ ତଥ୍ୟ
କନକ ବ୍ୟୁରୋ : ଓଡ଼ିଶା ପୁଲିସ୍ ପାଇଁ ୨୦୧୮ ମସିହା ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିଥିଲା । ଏହି ବର୍ଷ ପୁଲିସ୍ ପକ୍ଷରୁ ପରୀକ୍ଷାମୂଳକ ଭାବେ କିଛି ନୂଆ ଯୋଜନା ଆରମ୍ଭ କରାଯାଇଥିଲା । ଆଉ ସେଥିରେ ମଧ୍ୟ ଆଶାନୁରୂପ ସଫଳତା ମିଳିଛି । ରାଜ୍ୟର ପରିଚୟ ପାଲଟିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ବେଳେ ମଧ୍ୟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଚଳିତ ବର୍ଷ ଓଡ଼ିଶା ପୁଲିସ୍ର ସଫଳତା ଓ ଆଗାମୀ ବର୍ଷ ପାଇଁ ଆହ୍ବାନ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଏହି ବର୍ଷ ପୁଲିସ୍ ପାଇଁ ଶାନ୍ତିପୂର୍ଣ୍ଣ୍ର ରହିଥିଲା, ତଥାପି ସୁନ୍ଦରଗଡ଼, ଭଦ୍ରକ ଓ ରାଉରକେଲାରେ ସାମ୍ପ୍ରଦାୟିକ ହି˚ସାକାଣ୍ତ ଦେଖାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଚିତ ସମୟରେ ପୁଲିସ୍ର କାର୍ୟ୍ୟାନୁଷ୍ଠନ ଯୋଗୁଁ ହି˚ସାକାଣ୍ତ ଉଗ୍ର ହେବା ପୂର୍ବରୁ ରୋକା ଯାଇପାରିଥିଲା । ଆଇନ୍ଜୀବୀମାନଙ୍କ ଆନ୍ଦୋଳନ ଚିନ୍ତାଜନକ ଥିଲେ ବି ପୁଲିସ୍ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ସମ୍ବଲପୁର ଅଇଁଠାପାଲି ଥାନା ପୋଡ଼ି, ପୁରୀ ବଡ଼ଦାଣ୍ତରେ ଭଙ୍ଗାରୁଜା, ସୁନ୍ଦରୀ ବାଘର ମଣିଷ ଶିକାର ଭଳି ଘଟଣାରେ ସରକାରୀ ସମ୍ପତ୍ତି ନଷ୍ଟ ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଅନ୍ୟପଟେ ୨୦୧୮ରେ ମାଓ ଉପଦୃତ ଜିଲ୍ଲା ସ˚ଖ୍ୟା ୧୯ରୁ ୧୫କୁ ହ୍ରାସ ପାଇଛି। ଏହି ବର୍ଷ ୫୩ଟି ମାଓ ହିଂସା ରେକର୍ଡଭୁକ୍ତ ହୋଇଥିଲା । ମାଲକାନଗିରିରେ ସର୍ବାଧିକ ୨୩ଟି ମାଓ ହିଂସା, ନୂଆପଡ଼ାରେ ୭, କନ୍ଧମାଳରେ ୬, କୋରାପୁଟରେ ୫, କଳାହାଣ୍ତିରେ ୩, ନବରଙ୍ଗପୁର ଓ ରାୟଗଡ଼ାରେ ଦୁଇଟି ଲେଖାଏଁ ରେକର୍ଡ଼ କରାଯାଇଛି । ସେହିପରି ବରଗଡ଼, ଦେଓଗଡ଼, ବଲାଙ୍ଗୀର, ରାଉରକେଲା ଓ ଅନୁଗୁଳରେ ଗୋଟିଏ ଲେଖାଏଁ ଘଟଣା ସାମ୍ନାକୁ ଆସିଛି ।
୫୩ଟି ଘଟଣା ମଧ୍ୟରୁ ୨୫ ଘଟଣାରେ ପୁଲିସ୍ ସହିତ ଗୁଳିବିନିମୟ ହୋଇଥିଲାବେଳେ ୧୨ଜଣ ନାଗରିକ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଏହି ବର୍ଷ ୧୯ ଜଣ ମାଓବାଦୀ ପୁଲିସ୍ ଗୁଳିରେ ପ୍ରାଣ ହରାଇଛନ୍ତି। ୩୯ଜଣ ଗିରଫ ହୋଇଥିଲାବେଳେ ୨୭ଜଣ ଆତ୍ମସମର୍ପଣ କରିଛନ୍ତି । ଏକେ ୪୭, ଏସ୍ଏଲ୍ଆର୍, ଇନ୍ସାସ୍, ଥ୍ରୀ ନଟ୍ ଥ୍ରୀ ପିସ୍ତଲ ଭଳି ମୋଟ ୪୦ଟି ଅସ୍ତ୍ରଶସ୍ତ୍ର ଓ ଅନେକ ଗୋଳାବାରୁଦ ଜବତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍ର ଯେ କୌଣସି ଅପରେସନ୍କୁ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବରରେ କଣ୍ଟ୍ରୋଲରୁମ୍ ଖୋଲାଯାଇଛି ।
ଭୁବନେଶ୍ବର ସହିତ ୧୮ଟି ଷ୍ଟେସନ୍କୁ ଏଥିସହିତ ଯୋଡ଼ା ଯାଇଛି । ପୂର୍ବରୁ ନିୟୋଜିତ କୋବ୍ରା ଟିମ୍ର କିଛି ଅ˚ଶ ଓଡ଼ିଶାକୁ ଯୋଗାଇଦେବାକୁ ଅନୁରୋଧ କରାଯାଇଛି । ବିଏସ୍ଏଫ୍ର ଏୟାର ଵିଙ୍ଗ୍ଠୁ ଗୋଟିଏ ହେଲିକପ୍ଟର ଅଣାଯିବା ପାଇଁ ପ୍ରସ୍ତାବ ରହିଛି । ଆଗକୁ ମାଓ ଅଞ୍ଚଳରେ ଡ୍ରୋନ୍ ନିୟୋଜିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଥଇବା କହିଛନ୍ତି ପୁଲିସ ଡିଜି ।
ଏହିବର୍ଷ ଥାନାମାନଙ୍କରେ ମାଗଣାରେ ମାମଲା ରୁଜୁ କରାଯିବା ସହିତ ଅନ୍ଲାଇନ୍ ମାମଲା ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ଜିଲ୍ଲା ମୁଖ୍ୟାଳୟମାନଙ୍କରେ ଆଇନ୍ ପରାମର୍ଶଦାତା ନିଯୁକ୍ତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ପକ୍ଷରୁ ୨୪ଟି ଜିଲ୍ଲା ପାଇଁ ଆଇନ୍ ପରାମର୍ଶଦାତା ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲାବେଳେ ୧୫ଜିଲ୍ଲାରେ ସେମାନେ କାର୍ୟ୍ୟରେ ଯୋଗ ଦେଇସାରିଲେଣି ।
ସେହିପରି ଖାଲି ପଡ଼ିଥିବା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ପଦବିରେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ରୋକିବା ପାଇଁ ‘ପରି ପାଇଁ କଥାଟିଏ’, ପରୀ-୨ ଅଭିଯାନ, ମହିଳାମାନଙ୍କ ପ୍ରତି ହେଉଥିବା ଘରୋଇ ହି˚ସା ରେକିବା ପାଇଁ ‘ମାଧ୍ୟମ’ ଯୋଜନା ସଫଳତାର ସହ କାର୍ୟ୍ୟ କରିଛି । ସାଇବର କ୍ରାଇମ୍ରେ ନିୟନ୍ତ୍ରଣ ଆଣିବା ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏଁ ଥାନା ଖୋଲିଛି ।
ଗ୍ୟାଙ୍ଗଷ୍ଟର ଟିଟୋ ଓ ତାହାର ଗ୍ୟାଙ୍ଗକୁ ଧରିବାରେ ଏସ୍ଟିଏଫ୍ର ଭୂମିକାକୁ ଡକ୍ଟର ଶର୍ମା ପ୍ରଶ˚ସା କରିଛନ୍ତି । ଅର୍ଥନୈତିକ ଅପରାଧ ଶାଖା ୧୦୩ଜଣଙ୍କୁ ଗିରଫ କରିଥିଲାବେଳେ ପ୍ରାୟ ୪୬ଟି ତଦନ୍ତର ଚାର୍ଜସିଟ୍ ଦାଖଲ କରିଛି । ଓପିଆଇଡି ଆଇନ୍ ବଳରେ ୧୬ଟି ମାମଲା ରୁଜୁ କରାଯାଇ ସ˚ପୃକ୍ତ ସ˚ସ୍ଥାର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି ।
ସେହିପରି ଆଇଟି ବ୍ୟବହାର କ୍ଷେତ୍ରରେ ଏବେ ଭାରତର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ପ୍ରତି ଥାନାକୁ କାଗଜମୁକ୍ତ ଥାନାରେ ପରିଣତ କରିବା ପାଇଁ ସମସ୍ତ ତଥ୍ୟକୁ ଅନ୍ଲାଇନରେ ସ˚ରକ୍ଷିତ ରଖାଯାଉଛି । ‘ସହୟତା’ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ନାଗରିକମାନେ ହାତପାଆନ୍ତାରେ ସବୁ ସୁବିଧା ପାଇବା ସହା ଅଭିଯୋଗ ଦାୟର କରିବାକୁ ଥାନାକୁ ଯିବାକୁ ପଡ଼ିବ ନାହିଁ । ଏଥିପାଇଁ ‘କମ୍ପ୍ଲେନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’କୁ ଉନ୍ନତିକରଣ କରାଯାଉଥିବା ଡିଜି ସୂଚନା ଦେଇଛନ୍ତି ।