ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା

87

କନକ ବ୍ୟୁରୋ: କେତେକ ଦେଶରେ  କରୋନା ସଂକ୍ରମଣର  ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ଲାଗୁ ହୋଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ ।

ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ଗତ ବର୍ଷ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ଜୁଲାଇ ମାସଠାରୁ ଏୟାର ବବଲ ମାଧ୍ୟମରେ କେତେକ ଦେଶ ସହ ସ୍ୱତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ୱୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।