୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରୁ ଥ୍ରୀ-ଡି ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ; କହିଲେ..

199

କନକ ବ୍ୟୁରୋ : ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ଅଭିଭାଷଣରେ ୧୦ ବର୍ଷର ମୋଦୀ ସରକାଙ୍କ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଥ୍ରୀ – ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା କହିଛନ୍ତି । ମୋଦୀ କହିଛନ୍ତି, ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ ।

ନିଜ ଅଭିଭାଷଣ ବେଳେ ନୂଆ ଯୋଜନା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ୱକର୍ମା ଜୟନ୍ତୀରେ ନୂଆ ଯୋଜନା ଲାଗୁ ନେଇ ଘୋଷଣା କରିଛନ୍ତି । କୌଳିକ ବୃତିର ବିକାଶ ପାଇଁ ବିଶ୍ୱକର୍ମା ଯୋଜନା ଆଣିବେ କେନ୍ଦ୍ର ସରକାର । ଯେଉଁଥିରେ ଦିଆଯିବ ୧୩ରୁ ୧୫ ହଜାର କୋଟିର ପ୍ରୋତ୍ସାହନ ରାଶି । ଏହାଦ୍ୱାର ସୁନା, ଲୁହା, ଚମଡା ଭଳି ପାରମ୍ପରିକ କାରିଗର ଲାଭବାନ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦୀ କହିଛନ୍ତି, ଦେଶ ହଜାର ବର୍ଷ ପର୍ଯ୍ୟନ୍ତ ପରାଧିନ ହୋଇ ରହିଥିଲା । ହେଲେ ସ୍ୱାଧିନତା ହେବା ପରଠାରୁ ହଜାର ବର୍ଷ ଭିତରେ ବିକଶିତ ଭାରତ ଭାବେ ସ୍ୱପ୍ନ ଦେଖୁଛୁ । ନିଜ ଅଭିଭାଷଣରେ ତିନୋଟି କଥାକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ । ତିନୋଟି ତୁଷ୍ଟଶକ୍ତି ଠାରୁ ଦୂରରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟିକରଣ ବିରୋଧରେ ଲଢିବାକୁ ଦେଶବାସୀଙ୍କୁ ମୋଦୀ ଅପିଲ କରିଛନ୍ତି । ସେହିଭଳି ନିଜ ଅଭିଭାଷଣରେ ମଣିପୁର ହିଂସା ପ୍ରସଙ୍ଗରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଶାନ୍ତି ହିଁ ମଣିପୁୁର ପାଇଁ ଗୋଟିଏ ମାତ୍ର ସମାଧାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।