ନିର୍ବାଚନ ସମୟରେ ବଢୁଛି ମଦ କାରବାର, ଉତ୍ତର ପ୍ରଦେଶରେ ଦେଶୀମଦ ପିଇ ମହିଳାଙ୍କ ସମେତ ୬ ମୃତ

101

କନକ ବ୍ୟୁରୋ : ଦେଶର ପ୍ରତିିଟି ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରାଯାଉଛି । କିଛି ରାଜ୍ୟ ସରକାର ନିଜ ରାଜ୍ୟରେ ମଦ ବିକ୍ରି ଉପରେ ବି ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ହେଲେ ମଦ ସବୁଠି ବିକ୍ରି ହେଉଛି ଓ ସବୁ ରାଜ୍ୟର ଲୋକ ଦେଶୀ ବିଦେଶୀ ମଦ ପିଇ ମୃତ୍ୟୁ ବରଣ କରୁଛନ୍ତି । ବିହାର ଓ ହରିଆନା ପରେ ଏବେ ଉତ୍ତର ପ୍ରଦେଶ ରାଏବରେଲୀରୁ ଆସିଛି ମଦମୃତ୍ୟୁର ଖବର । ଏଥିରେ ଦେଶୀମଦ ପିଇ ଜଣେ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ ଉତ୍ତର ପ୍ରଦେଶ ରାଏବରେଲୀ ନିର୍ବାଚନୀ କ୍ଷେତ୍ରରେ ଦେଶୀମଦ ପିଇ ଜଣେ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କିଛି ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲା ରାଏବରେଲୀର ମହାରାଜଗଂଜ ଥାନା ପାହାଡପୁର ଅଞ୍ଚଳରେ ଘଟିଛି । ପାହାଡପୁରରେ ରହୁଥିବା ରାମଘନୀଙ୍କ ଘରେ ମଙ୍ଗଳବାର ଦିନ ଏକ ଜନ୍ମୋତ୍ସବ ପାଳନ ହେଉଥିଲା । ଏନେଇ ରାମଘନୀ ସାଂଗସାଥୀମାନଙ୍କୁ ଡାକି ଦେଶୀମଦ ପିଇବାକୁ ଦେଇଥିଲେ । ଏହାପରେ ଦେଶୀମଦ ପିଇଥିବା ଲୋକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ସେମାନଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜିଲ୍ଲା ଅଧିକାରୀଙ୍କ କହିବା ମୁତାବକ ଏବେ ମେଡିକାଲରେ ୧୮ ଜଣରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । ଏନେଇ ରାମଘନୀଙ୍କ ନାମର ମାମଲା ଦାୟର ହେବା ସହ ସ୍ଥାନୀୟ ପୋଲିସ ଘଟଣାର ଯାଂଚ କରୁଛି ।