ମୃତ୍ୟୁର ସୌଦାଗର ଦୟାନିଧି ବିଶୋଇ: ରାଜକ୍ଷମା ପରେ ବି ବଦଳିଲାନି ପାଶବିକତା । ପାରୋଲରେ ଆସି ପୁଣି ମଣିଷ ମାରିଥିଲା ଦୟାନିଧି

669

କନକ ବ୍ୟୁରୋ: ନିର୍ଭୟା ହତ୍ୟାକାଣ୍ଡର ଅପରାଧୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ ଏହି ପରିପ୍ରେକ୍ଷୀରେ ସାମନକୁ ଆସିଛି ଓଡ଼ିଶାର ଅପରାଧ ଇତିହାସରେ ଦୟାନିଧି ବିଶୋଇ ମାମଲା । ଏହା ଏପରି ଏକ ମାମଲା ଯାହା ଆଜି ବି ସମସ୍ତଙ୍କ ମନରେ ଭୟ ସଂଚାର କରେ । ତିନି ତିନି ଜଣଙ୍କୁ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିଲା ଦୟାନିଧି । ରାଜକ୍ଷମା ପାଇବା ପରେ ମୃତ୍ୟୁଦଣ୍ଡରୁ ମୁକୁଳିଥିଲା । ହେଲେ ଅପରାଧର ଯେଉଁ ପ୍ରବଣତା ତା’ ମଧ୍ୟରେ ଥିଲା, ସେଥିରୁ ସେ ମୁକୁଳି ପାରିନଥିଲା । ପରୋଲରେ ଆସି ନିଜ ସ୍ତ୍ରୀକୁ ମଧ୍ୟ ମାରି ଦେଇଥିଲା ଏହି ନରରୂପୀ ରାକ୍ଷସ ।

ବଲାଙ୍ଗୀର ଜେଲରେ ସଜା କାଟୁଥିବା ଏହି ଅପରାଧୀର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରିଯିବ । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପରେ ପୁଣି କିପରି ନରହନ୍ତା ପାଲଟିଥିଲା ରକ୍ତ ପିପାସୁ ଦୟାନିଧି ବିଶୋଇ, ତାହା ଆଜି ବି ମନରେ ଭୟ ସୃଷ୍ଟି କରେ । ୨୦ ବର୍ଷ ତଳର ଏହି କାହାଣୀ, ସାରା ଓଡ଼ିଶାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଜୟପୁରର ଇରିଗେସନ କଲୋନୀରେ ରହୁଥିବା ସେଲଟ୍ୟାକ୍ସ ବିଭାଗରେ ପିଅନ ଭାବେ କାମ କରୁଥିବା ଅନିରୁଦ୍ଧ ସାହୁଙ୍କ ଘରକୁ ଯାଇଥିଲା ଦୟାନିଧି ବିଶୋଇ । ରାତିରେ ସମସ୍ତେ ଏକାଠି ଖାଇ ସାରି ଶୋଇବା ପରେ ଦୟାନିଧି ପାଲଟି ଯାଇଥିଲା ସଇତାନ । ଅନିରୁଦ୍ଧ, ତାଙ୍କ ପତ୍ନୀ ଲତା ଓ ସେମାନଙ୍କ ତିନି ବର୍ଷର ଝିଅ ପୂଜାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦୟାନିଧି । ଏପରିକି ଲତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ଜଘନ୍ୟ ଅପରାଧ ପାଇଁ ତାଙ୍କୁ ମିଳିଥିଲା ଫାଶୀ ଦଣ୍ଡ ।

ତେବେ ୨୦୦୩ରେ ରାଜକ୍ଷମା ମିଳିବା ପରେ ମୃତ୍ୟୁଦଣ୍ଡରୁ ବର୍ତ୍ତି ଯାଇଥିଲେ ଦୟାନିଧି । ନିଜ ସ୍ତ୍ରୀର ଚିକିତ୍ସା ପାଇଁ ପାରୋଲରେ ଆସିବା ପରେ ସେ ଯେଉଁ ଅପରାଧ କରିଥିଲା, ତାହା ସମସ୍ତଙ୍କୁ ହତଚିକତ କରି ଦେଇଥିଲା । ସ୍ତ୍ରୀର ଚିକିତ୍ସା ପାଇଁ ଆସିଥିଲା, ହେଲେ ସ୍ତ୍ରୀକୁ ନିଜ ହାତରେ ହତ୍ୟା କରି ଫେରାର ହୋଇ ଯାଇଥିଲା । ଶେଷରେ ଆନ୍ଧ୍ରରୁ ଗିରଫ ହୋଇଥିଲା ଦୟାନିଧି । ଆନ୍ଧରୁ ତାକୁ ଓଡିଶା ଅଣାଯାଇଥିଲା । ଏବଂ ସ୍ତ୍ରୀର ହତ୍ୟା ପାଇଁ ପୁଣି ଥରେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ଏବେ ବଲାଙ୍ଗୀର ଜେଲରେ ସଜା କାଟୁଛି ଦୟାନିଧି । ଦୁଇ ଦୁଇ ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି ଏହି ଅପରାଧୀ ।