ଗୋଟିଏ ମିନିଟର ଫୋନ କଲ ନେଇଗଲା ଦାମଙ୍କ ପଦ ! ଜାଣନ୍ତୁ ବହିଷ୍କୃତ ହେବା ପୂର୍ବରୁ ଫୋନରେ କଣ କଥା ହୋଇଥିଲେ ଦାମ

36

କନକ ବ୍ୟୁରୋ : ପଦ ନେଇଗଲା ଜାତିଆଣ ମନ୍ତବ୍ୟ । ହେଲେ ଦାମ ରାଉତଙ୍କ ସହ କ’ଣ କଥା ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ । ଡକ୍ଟର ରାଉତଙ୍କୁ ଫୋନରେ କ’ଣ କହିଥିଲେ, ପ୍ରମୁଖ ସଚିବ । ମାତ୍ର ଗୋଟିଏ ମିନିଟର କଥାବାର୍ତାରେ ଏମିତି କ’ଣ ହେଲା, ଯାହା ମୁଖ୍ୟମନ୍ତ୍ରୀଙ୍କୁ ଚରମ ନିଷ୍ପତି ନେବାକୁ ବାଧ୍ୟ କରିଥିଲା ।

dama naveenଶୁକ୍ରବାର ସନ୍ଧ୍ୟା । ସଚିବାଳୟର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପାଖକୁ ଗଲା ଫୋନକଲ୍ । ମୁଖ୍ୟମନ୍ତ୍ରୀ ଚାହୁଁଥିଲେ କଥା ହେବାକୁ । ବ୍ରାହ୍ମଣଙ୍କ ସଂକ୍ରାନ୍ତରେ ଦାମ ବାବୁ ଦେଇଥିବା ବୟାନ ବିବାଦ ବଢାଉଥିବା ବେଳେ ଯାଇଥିଲା ଫୋନକଲ୍ । ପାଖାପାଖି ଗୋଟିଏ ମିନିଟର କଥାବାର୍ତ୍ତା । ଆଉ ଏହାପରେ କଟିଯାଇଥିଲା ଫୋନ୍ । ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଗଲା ବେଳେ ଦାମ ବାବୁ ଭୁବନେଶ୍ୱର ଠାରୁ ଥିଲେ ପାଖାପାଖି ୧୦୦ କିମି ଦୁରରେ, ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ । ଫୋନ କଟିଯିବାର କେଇ ମିନିଟ୍ ପରେ ଆସିଥିଲା ଆଉ ଏକ ଫୋନକଲ୍ ।

ଦାମ ବାବୁଙ୍କ ମୋବାଇଲକୁ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କର ଫୋନ୍ । ଫୋନ ଉଠାଇବା କ୍ଷଣି ତୃତୀୟ ମହଲାର ଏହି ଅଧିକାରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଆପଣ ଇସ୍ତଫା ଦିଅନ୍ତୁ । ତେବେ ଭୁବନେଶ୍ୱର ଠାରୁ ଦୁରରେ ଥିବାରୁ ତାଙ୍କ ପକ୍ଷେ ଇସ୍ତଫା ଦେବା ସମ୍ଭବ ନୁହେଁ ବୋଲି ଦାମ ବାବୁ ରୋକଠୋକ ଶୁଣାଇ ଦେଇଥିଲେ । ଏପରିକି ଆଲୋଚନା କରିବା ପରେ ଯାହା ନିଷ୍ପତି ନେବି ବୋଲି କହିଥିଲେ ଦାମ । ଆଉ ଏହାର ଠିକ ଘଣ୍ଟାକ ଭିତରେ ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କଲେ ।

DAMA_00000ତେବେ ୧୭ ବର୍ଷର ଶାସନ ଭିତରେ ଯେଉଁ ଚିତ୍ର ବେଶ ବିରଳ ଥିଲା, ତାହା ଦାମ ବାବୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା । ତେବେ ପ୍ରଶ୍ନ ଉଠୁଛି
– ଦାମ ବାବୁଙ୍କୁ ଇସ୍ତଫା ଦେବା କଥା କହିବାକୁ ନବୀନ ଫୋନ କରିଥିଲେ କି?
– ନା’ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଫୋନ କରି ଇସ୍ତଫା କଥା ପ୍ରଥମେ କହିଲେ?
– ଦାମ ବାବୁଙ୍କ ରୋକଠୋକ କଥାବାର୍ତ୍ତା ପାଇଁ ତାଙ୍କୁ ବହିଷ୍କାର କରାଗଲା କି?
– ଯଦି ଇସ୍ତଫା ଦେବାର ଥିଲା, କେଇ ଘଂଟା ଅପେକ୍ଷାରେ ଅସୁବିଧା କଣ ଥିଲା?
– ଦାମଙ୍କ ସହ ଫୋନ ବାର୍ତ୍ତାଳାପ ପରେ ବହିଷ୍କାର ବାବଦରେ ନିଷ୍ପତ୍ତି ହେଲା କି?

ସେପଟେ ମନ୍ତ୍ରୀମଣ୍ଡଳରେ ତିଆରି ହୋଇଥିବା ଶୁନ୍ୟସ୍ଥାନ ଏବେ ଭରଣା କରାଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍, ମନ୍ତ୍ରୀମଣ୍ଡଳ ଅଦଳ ବଦଳର ଏବେ ସମ୍ଭାବନା ନାହିଁ ।ଏହାରି ଭିତରେ ଏବେ ଡାକ୍ତର ଦାମୋଦର ରାଉତଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ।