ଜୀବନ ଅଛି, ଜୀବିକା ନାହିଁ: କେଉଁଠି ଘରକୁ ମାଡ଼ି ବସିଛି ପୋଷିଲା ଗଛ ତ’ କେଉଁଠି ଦାଉ ସାଧିଛି ଦାରିଦ୍ର‌୍ୟ। ସଞ୍ଜ ନଇଁଲେ ରାଜୁତି କରୁଛି କିଟିମିଟି ଅନ୍ଧାର

195

କନକ ବ୍ୟୁରୋ: ଫନିକୁ ପୂରିଛି ମାସେ। ହେଲେ ଆଜି ବି ଅନେକ ନିଜ ଭିଟାମାଟିକୁ ଫେରି ପାରିନାହାନ୍ତି। କେଉଁଠି ଘରକୁ ମାଡ଼ି ବସିଛି ପୋଷିଲା ଗଛ ତ’ କେଉଁଠି ଦାଉ ସାଧିଛି ଦାରିଦ୍ର‌୍ୟ। ଚାଳିଆ ଉଠାଇବାକୁ ଅର୍ଥ ବଳ ନାଇଁ। ଜୀବନ ବଞ୍ଚିଛି ସିନା ହେଲେ ଜୀବିକା ବୁଡ଼ି ଯାଇଛି। କେହି କେହି ଚାଳିଆରେ ମାଟି ଲେସି ମୁଣ୍ଡ ଗୁଞ୍ଜିବାକୁ ବ୍ୟବସ୍ଥା କରିଥିଲେ ହେଁ ତାକୁ ଏବେ ଜୀବିକା ଚିନ୍ତା ଘାରିଛି। ଯିଏ ରୋଜଗାର ଦେଉଥିଲା ସେ ଡଙ୍କ ମୋଡ଼ି ପଡ଼ିଛି। ଏଣୁ ରୋଜଗାର ପାଇଁ କେତେକ ରାଜ୍ୟ ଛାଡ଼ିବାକୁ ସଜବାଜ ହେଲେଣି। ସରକାରୀ ବେସରକାରୀ ସାହାଯ୍ୟ ଦୁଇ ଦିନକୁ ନିଅଣ୍ଟ ହୋଇଛି।

ଏଭଳି ସ୍ଥିତିରେ ଯେଉଁଠି ନିଜ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକେ ନାହିଁ ସେଠି ଗୁହାଳ କଥା କିଏ ପଚାରୁଛି! ଚାଞ୍ଚ ତଳେ ପଡ଼ିଛନ୍ତି ପ୍ରାଣୀଧନ। ଏଭଳି ଏକ ବିକଳ ଚିତ୍ର ଫନିର ମାସେ ପରେ ବି ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅଧୀନ ସାରଙ୍ଗଯୋଡ଼ି ପଞ୍ଚାୟତରେ। କ୍ଷତ ସେମିତି ତାଜା ଅଛି। ଦିନ ତ ଯେମିତି ହେଲେ କଟି ଯାଉଛି, ହେଲେ ରାତି କଟୁନି। ମଶା ଉତ୍ପାତକୁ ଅସହ୍ୟ ଗରମ ଅଥୟ କରୁଛି। ବିଦ୍ୟୁତ ଏବେ ବି ସ୍ବପ୍ନ ହୋଇଛି। ସଞ୍ଜ ନଇଁଲେ ପଡ଼ୁଛି ତାଟି କବାଟ। ରାଜୁତି କରୁଛି କିଟିମିଟି ଅନ୍ଧାର।

ସତ୍ୟବାଦୀ ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ପଞ୍ଚାୟତ ହେଉଛି ସାରଙ୍ଗଯୋଡ଼ି। ୧୨ଟି ୱାର୍ଡରେ ରହିଥିବା ୧୪୩୦ ଘର ଏହି ଫନିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ଚାଳ ଘର ଆଜ୍ବେଷ୍ଟସ ଘର ରହିବା ଉପଯୋଗୀ ହୋଇନଥିବା ବେଳେ କୋଠାଘର ବି ପ୍ରଭାବିତ ହୋଇଛି। ଫନି ପରେ ସରକାରଙ୍କର ୩ ହଜାର ଟଙ୍କା ପ୍ରଭାବିତଙ୍କ ପାଖରେ ପହଞ୍ଚିଛି। ହେଲେ ତାହା ସମୁଦ୍ରକୁ ଶଙ୍ଖେ ହୋଇଛି। ଏହି ପଞ୍ଚାୟତରେ ଅଧିକାଂଶ ଲୋକ ନଡ଼ିଆ, ଗୁଆ ଓ ପୋଲାଙ୍ଗ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ବାତ୍ୟାରେ ଏହି ତିନୋଟି ରୋଜଗାର ପନ୍ଥା ବୁଡ଼ି ଯାଇଛି। ଗୁଆ ଓ ନଡ଼ିଆ ଗଛ ଭୂଇଁରେ ଲୋଟି ଯାଇଥିବା ବେଳେ ବାତ୍ୟା ମାଡ଼ରେ ପୋଲାଙ୍ଗ ଆଉ ଦୁଇ ବର୍ଷ ଯାଏଁ ଫଳ ଧରିବନି। ଯେଉଁମାନେ ନଡ଼ିଆ ଗଛକୁ ଆଧାର କରି ଚଳୁଥିଲେ ସେମାନେ ତ ଜୀବିକା ହରାଇଲେ; ତା’ ସହ ଯେଉଁମାନେ ନଡ଼ିଆ ତୋଳି ଜୀବିକା ନିର୍ବାହ କରୁଥିଲେ ସେମାନେ ବି ରୋଜଗାର ହରାଇଛନ୍ତି।

ଏହି ପଞ୍ଚାୟତର ରାୟ ଚକ୍ରଧରପୁର ଗ୍ରାମରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଗ୍ରାମରେ ରହିଥିବା ୫୦ରୁ ୬୦ ପରିବାର ସମସ୍ତେ ବ୍ରାହ୍ମଣ। କିଛି କୋଠାଘର ବାତ୍ୟାରେ ବଞ୍ଚି ଯାଇଥିବା ବେଳେ ଅଧାରୁ ଅଧିକ ଚାଳ ଓ ଆଜବେଷ୍ଟସ ଘର ନଷ୍ଟ ହୋଇଯାଇଛି। ବାତ୍ୟା ପୂର୍ବରୁ ଘର ଛାଡ଼ି ଚାଲି ଯାଇଥିବା ଦୀନମଣି ଦାଶ ମାସେ ପରେ ଗାଁକୁ ଫେରିଥିଲେ ମଧ୍ୟ ଘରକୁ ଯାଇ ପାରିନାହାନ୍ତି। ଗୋଟିଏ ବଖରା ନୁଆଁଣିଆ ଚାଳ ଘର, ତାହା ପୁଣି ମାଟିରେ ମିଶି ଯାଇଛି। ସେ ଘରକୁ ଫେରି ଏବେ ଆଉ ଜଣଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଘର ସଜାଡ଼ିବାକୁ ଲୋକ ମିଳୁନାହାନ୍ତି। ଯିଏ ମୂଲ ମଜୁରି ଲାଗୁଥିଲା ସେ ଅଣ୍ଟା ସଳଖିବାରେ ବ୍ୟସ୍ତ ରହିଛି। ୫ଶହ ନଡ଼ା ବିଡ଼ାକୁ ଯେଉଁଠି ୪ଶହ ଟଙ୍କା ପଡ଼ୁଥିଲା ତାହାର ଦର ଏବେ ହଜାରେ ଟଙ୍କାରେ ପହଞ୍ଚିଛି। ହେଲେ ବି ମିଳୁନି।

ଉଡ଼ି ଯାଇଥିବା ଆଜବେଷ୍ଟସ୍ ଘରେ କେବଳ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ଛଣ ଛପର ହେଉଛି। ସେଇଥିପାଇଁ ଏହି ଛଣ ଏବେ ଅମୂଲମୂଲ ହୋଇଛି। କେବଳ ଦୀନମଣି ନୁହନ୍ତି, ଏହି ଗାଁରେ ସମସ୍ତେ ବ୍ରାହ୍ମଣ ପରିବାର ହୋଇଥିବାରୁ ନିଜ ଛାତ ଉପରେ ଚଢ଼ି ଛପର କରିବା କାହା ପାଇଁ ସମ୍ଭବ ହେଉ ନାହିଁ। ଫଳରେ ଘର କରିବା ପାଇଁ ମନ ବଳଥିଲେ ମଧ୍ୟ ବାତ୍ୟାର ୩୦ ଦିନ ପରେ ଚିତ୍ର ସମାନ ରହିଛି। ମଳଗୁପାଟଣା, ସାରଙ୍ଗଯୋଡ଼ି, ଧ୍ବଜାମୁଣ୍ଡି, ବାଇଁଶବାଡ଼ି, ଡମାଳ ପ୍ରଭୃତି ଗାଁରେ ଅନୁରୂପ ଚିତ୍ର ରହିଥିବା ବେଳେ ହରିଜନ ସାହିମାନଙ୍କର ଅବସ୍ଥା ନ କହିବା ଭଲ। ଗୁଆବାଡ଼ି, ବାରମାଣ ସାହି, ତୋରାଣିଆ ହରିଜନ ସାହି ପ୍ରଭୃତିରେ ଲୋକମାନେ ଜୀବିକା କଥା ଭାବି ପାରୁନାହାନ୍ତି। ଅଧିକାଂଶ ଲୋକ ଗଛରେ ଚଢ଼ି ନଡ଼ିଆ ଓ ପଇଡ଼ ତୋଳି ଓ ବିକି ଗୁଜୁରାଣ ମେଣ୍ଟାଉଥିବା ବେଳେ ଏବେ ଅନେକ ବର୍ଷ ଧରି ବାତ୍ୟାମାଡ଼ ଖାଇ ଜୀବନ ବଞ୍ଚାଇ ଥିବା ନଡ଼ିଆ ଗଛରେ ଚଢ଼ିବା ଆବଶ୍ୟକତା ପଡ଼ିବ ନାହିଁ।