ବିଶ୍ୱର ତୃତୀୟ ବଡ ଧନୀ ବ୍ୟକ୍ତିଙ୍କ ସହ ଭୋଜନ କରିବାକୁ ଅନଲାଇନ ନିଲାମ : ୱାରେନଙ୍କ ସହ ଖାଇବା ପାଇଁ ଖର୍ଚ୍ଚ କରିବେ ୩୨ କୋଟି

152

କନକ ବ୍ୟୁରୋ : ବିଶ୍ୱର ତୃତୀୟ ବଡ ଧନୀ ବ୍ୟକ୍ତି ୱାରେନ ବଫେଟଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ଜଣେ ବ୍ୟକ୍ତି ପାଖାପାଖି ୩୨କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ଇବେ ପକ୍ଷରୁ କରାଯାଇଥିବା ଅନଲାଇନ ନିଲାମରେ ଜଣେ ବ୍ୟକ୍ତି ଏହି ଅର୍ଥ ଦେବାକୁ ରାଜି ହୋଇଛନ୍ତି । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ । ୮୮ବର୍ଷୀୟ ବଫେଟ ବିଶ୍ୱର ଜଣେ ଚର୍ଚ୍ଚିତ ନିବେଶକ । ଗରିବମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସାନଫ୍ରାନସିସକୋର ଗ୍ଲାଇଡ୍ ଫାଉଣ୍ଡେସନ ନାମକ ଏକ ଦାତବ୍ୟ ସଂସ୍ଥାକୁ ଏହି ନିଲାମ ବାବଦରେ ଆଦାୟ ହେଉଥିବା ଅର୍ଥ ୱାରେନ୍ ପ୍ରଦାନ କରୁଛନ୍ତି ।

ଚଳିତବର୍ଷ ପାଇଁ ୫ଦିନିଆ ଅନଲାଇନ ନିଲାମ ଗତ ଶୁକ୍ରବାର ରାତିରେ ଶେଷ ହୋଇଛି । ଚଳିତବର୍ଷ ରେକର୍ଡ ପରିମାଣରେ ଅର୍ଥ ମିଳିଛି । ପୂର୍ବରୁ ୨୦୧୨ ଏବଂ ୨୦୧୬ରେ ହୋଇଥିବା ନିଲାମରେ ୱାରେନଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ସର୍ବାଧିକ ୩୪ ଲକ୍ଷ ୫୬ ହଜାର ୭୮୯ ଡଲାର ମିଳିଥିଲା । ଧନୀମାନେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କେମିତି ଚଳନ୍ତି ତାହା ଜାଣିବା ଲାଗି ସାଧାରଣତଃ ଅନେକ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ସେଥିପାଇଁ ଏହି ନିଲାମ ମାଧ୍ୟମରେ ୱାରେନଙ୍କ ସହ ଖାଇବା ପାଇଁ ନିଲାମରେ ଅଧିକ ଅର୍ଥ ମିଳୁଛି । ୨ହଜାର ମସିହାରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ପ୍ରାୟ ୩୪.୨ ନିୟୁତ ଡଲାର ମିଳିଲାଣି ।