ହାଜତ ମୃତ୍ୟୁ ପରେ ସମ୍ବଲପୁରରେ ବର୍ଷୁଥିଲା ଟେକା, ହେଉଥିଲା ଲାଠିମାଡ ! ଥାନାରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଜନତା

32

କନକ ବ୍ୟୁରୋ : ପୁଲିସ-ଜନତା ଭିତରେ ଭୟଙ୍କର ସଂଘର୍ଷ । ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ଜନତା । ପ୍ରତିବାଦ ଏତେ ତ୍ରୀବ ରୁପ ନେଇଥିବା ଯେ, ଥାନାରେ ନିଆଁ ଲାଗାଇ ଦେଲେ ଉତ୍ୟକ୍ତ ଲୋକ । ପୁଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର ମାଡ ହୋଇଥିବା ବେଳେ ଆଇନଶୃଙ୍ଖଳା ପାଇଁ ୭ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ପଡ଼ିଲା । ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ଅଇଁଠାପାଲି ଥାନା ଅଧିକାରୀଙ୍କ ସହ ଡିସିଓ ଏବଂ ସେଂଟ୍ରିଂଙ୍କୁ ନିଲମ୍ବିତ କରାଯାଇଛି । ଘଟଣାର ଏଚଆରପିସି ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ।

ହାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ଅଶାନ୍ତ ହୋଇ ଉଠିଥିଲା ପଶ୍ଚିମ ଓଡିଶାର ଏହି ପ୍ରମୁଖ ସହର । ସଂଘର୍ଷ, ଲଙ୍କାକାଣ୍ଡ, ଧସ୍ତାଧସ୍ତି ଆଉ ଉତ୍ତେଜନା । ତିନି ଘଂଟା ଧରି ରଣକ୍ଷେତ୍ର ପାଲଟିଥିଲା ପୁରା ଅଂଚଳ । ପ୍ରଥମେ ସ୍ଥାନୀୟ ଅଂଚଳରେ ରାସ୍ତାରୋକ, ଆଉ ପରେ ମନରେ ଚପି ରହିଥିବା ଅସନ୍ତୋଷକୁ ଜାହିର କରିବାକୁ ଥାନାରେ ବ୍ୟାପକ ଭଙ୍ଗାରୁଜ୍ଜା । ନୀରବଦ୍ରଷ୍ଟା ସାଜିବା ଛଡା ପୋଲିସ ପାଖରେ ଆଉ କିଛି ଉପାୟ ନଥିଲା । ଥାନା ଭିତରେ ଲଙ୍କାକାଣ୍ଡ ଭିଆଇବା ସହ ଉତ୍ୟକ୍ତ ଲୋକେ ଯାହା ପାଇଥିଲେ ଭାଙ୍ଗିଥିଲେ ଆଉ ପୋଡିଥିଲେ ।

ସ୍ଥିତି ପୁରା ଥିଲା ନିୟନ୍ତ୍ରଣ ବାହାରେ । ସବୁକିଛି ଜଳୁଥିଲା । ହେଲେ ଏତିକିରେ ଶାନ୍ତ ପଡିନଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ହୋଇଥିଲା ଟେକା ପଥର ମାଡ । ଚାରିଆଡୁ ଥାନାକୁ ଘେରିଯାଇ ବର୍ଷାଇଥିଲେ ପଥର । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ପୋଲିସ ଯବାନ ବି ଆକ୍ରମଣରୁ ବର୍ତ୍ତିନଥିଲେ । ପୁରା ଘଟଣା ଥିଲା କିଛି ଏହିଭଳି । ଚୋରୀ ଅଭିଯୋଗରେ ଭାଲୁପାଲି ଗାଁର ଅବିନାଶ ମୁଣ୍ଡାଙ୍କୁ ପୋଲିସ ବାନ୍ଧିଥିଲା । ହାଜତରେ ରଖି କରାଯାଉଥିଲା ପଚରା ଉଚରା । ହେଲେ ପୁରା ମାମଲାରେ ଟ୍ୱିଷ୍ଟ ଆସିଲା ଯେତେବେଳେ ରାତି ଗୋଟାଏରେ ପୋଲିସ ଆତ୍ମହତ୍ୟା ଉଦ୍ୟମ କରିଥିବା ଦର୍ଶାଇ ଅବିନାଶଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କଲା, ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସ୍ ଏହାକୁ ନେଇ ପୋଲିସ ବିରୋଧରେ ଅସନ୍ତୋଷ ଦାନା ବାନ୍ଧିଥିଲା । ଆଉ ସକାଳୁ ସକାଳୁ ତେଜିଥିଲା ଉତ୍ତେଜନା ।

ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଅଇଁଠାପାଲି ଥାନା ଅଧିକାରୀଙ୍କ ସହ ଡିସିଓ ଏବଂ ସେଂଟ୍ରିଂଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଘଟଣାର ଏଚଆରପିସି ତଦନ୍ତ ହେବ ବୋଲି କହିଛନ୍ତି ପୁଲିସ ଡିଜି । ଏଚଆରପିସିଙ୍କ ୩ ଜଣିଆ ଟିମ୍ ପୁରା ଘଟଣାର ତଦନ୍ତ କରି ୩ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ । ଏହାରି ଭିତରେ ସହରରେ ଶାନ୍ତି ଫେରାଇ ଆଣିବାକୁ ହୋଇଛି ଉଦ୍ୟମ । ଗଠନ ହୋଇଛି ଶାନ୍ତି କମିଟି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟଙ୍କ ପାଇଁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।