୧୨ ବର୍ଷ ବାଳକ ଯୋଗୁଁ ବଞ୍ଚିଲା ଜୀବନ ! କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇ ଦେଲେ ନାବାଳକ ପୁତୁରା

37

କନକ ବ୍ୟୁରୋ : କୁମ୍ଭୀର ପାଟିରୁ ଅଳ୍ପକେ ବର୍ତ୍ତିଲା ଜୀବନ । ଦାଦାଙ୍କୁ ବଂଚାଇ ଦେଲେ ନାବାଳକ ପୁତୁରା । ମଣିଷ ଖିଆ କୁମ୍ଭୀର ମୁହଁରୁ ବଡବଡ ଲୋକ ବି ବର୍ତ୍ତିବା ମୁସ୍କିଲ । ହେଲେ ୧୨ ବର୍ଷ ବାଳକ ଦାଦାଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଛି । ଅଦ୍ଭୁତ ସାହସ ଦେଖାଇ ୨୦ ଫୁଟିଆ କୁମ୍ଭୀର କବଳରୁ ନିଜ ଦାଦାଙ୍କୁ ବଂଚାଇଛି । ମାତ୍ର ୧୨ ବର୍ଷ ବାଳକର ସାହସ ଯୋଗୁଁ କୁମ୍ଭୀର ମୁହଁରୁ ବଂଚି ଯାଇଛନ୍ତି ରାଜନଗର କଣ୍ଡିିରା ଗାଁର ବିନୋଦ ମଲ୍ଲିକ । ପୋଖରୀରେ ଛପି ରହିଥିଲା ବିରାଟ କୁମ୍ଭୀର । ଗତ ରାତିରେ ବିନୋଦ ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ।

୨୦ ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ତାଙ୍କ ବାମ ହାତକୁ ଧରି ପାଣିକୁ ଟାଣି ନେଇଥିଲା । ତେବେ ବିନୋଦଙ୍କ ଚିତ୍କାର ଶୁଣି ପାଖରେ ପହଂଚି ଯାଇଥିଲେ ବିନୋଦଙ୍କ ପୁତୁରା ସିକୁ । ଦାଦାଙ୍କୁ କୁମ୍ଭୀର ଟାଣୁଥିବା ଦେଖି କୁମ୍ଭୀର ଆଖିକୁ ଟର୍ଚ୍ଚ ପକାଇବା ସହ ପାଟିକୁ ବାଡିରେ ଏକ ଶକ୍ତ ପାହାର ପକାଇଥିଲେ । ଫଳରେ ବିନୋଦଙ୍କୁ ଛାଡି ପାଣି ଭିତରକୁ ଚାଲି ଯାଇଥିଲା କୁମ୍ଭୀର । ଘଟଣା ସ୍ଥଳରେ ପୁତୁରା ସିପୁଙ୍କ ଉପସ୍ଥିତ ବୁଦ୍ଧି ପାଇଁ କୁମ୍ଭୀର ପାଟିରୁ ଅଳ୍ପକେ ବଂଚି ଯାଇଛନ୍ତି ବିନୋଦ ।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ରାଜନଗର ଅଂଚଳରେ କୁମ୍ଭୀରର ଆକ୍ରମରଣ ଶିକାର ହୋଇଛନ୍ତି ଅନେକ ଲୋକେ । ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଜଣେ ମହିଳାଙ୍କୁ ଆକ୍ରମଣ କରି ମଝି ନଇକୁ ଟାଣି ନେଇଥିଲା ମଣିଷଖିଆ କୁମ୍ଭୀର ।  ରାଜନଗର ଅଂଚଳରେ ହିଁ ଏହି ଘଟଣା ଘଟିଥିଲା । ଭବାନୀ ନାମକ ଜଣେ ମହିଳା କୁମ୍ଭୀର ଆକ୍ରମଣ ଶିକାର ହୋଇଥିଲେ ।