ମହିଳା ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ । ୨୦ ଓଭରରେ ୧୩୮ ରନ୍ କରିପାରିଲାନି ଟିମ୍ ଇଣ୍ଡିଆ । 

105

କନକ ବ୍ୟୁରୋ: ଏସିଆ କପରେ ପାକିସ୍ତାନଠୁ ମ୍ୟାଚ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ଶୁକ୍ରବାର ମହିଳା ଏସିଆ କପରେ ବଡ ଧରଣର ରୋମାଞ୍ଚ ଦେଖିବାକୁ ମିଳିଛି ଏବଂ ଦୀର୍ଘ ଦିନ ପରେ ଭାରତ ପାକିସ୍ତାନଠାରୁ ପରାଜିତ ହୋଇଛି । ତେବେ ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନଠାରୁ ଏକ ଲୋ-ସ୍କୋରିଂ ମ୍ୟାଚରେ ହିଁ ହାରିଯାଇଛି ।

ଆଜି ମ୍ୟାଚରେ ପାକିସ୍ତାନ ଅଧିନାୟିକା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳ ପକ୍ଷରୁ ନିଦା ଦାର ୫୬ ରନର ଅପରାଜିତ ଇଂନିସ ଖେଳିଥିଲେ । ତା ସହିତ ପ୍ରଥମ ତିନି ଜଣ ବ୍ୟାଟ୍ସମ୍ୟାନ୍ ମଧ୍ୟ କିଛି କିଛି ଯୋଗଦାନ ରଖିଥିଲେ । ଯାହା ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ ୱିକେଟ୍ ନେଇଥିବାବେଳେ, ପୂଜା ଭାସ୍ତ୍ରକାର ୨ଟି ସଫଳତା ପାଇଥିଲେ ।

ଏହାପରେ ୧୩୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ହେଲେ ଦଳର କୌଣସି ଖେଳାଳି ୨୦ ରନରୁ ବି ଅଧିକ ରନ୍ କରିପାରିନଥିଲେ । କେବଳ ରିଚା ଘୋଷ ଶେଷ ଆଡକୁ ୧୩ ବଲରେ ୨୬ ରନ୍ କରିବା ସହିତ ମ୍ୟାଚ୍ ବିଜୟର ଆଶା ଜମାଇଥିଲେ । ହେଲେ ତାଙ୍କର ଆଉଟ୍ ହେବା ମାତ୍ରକେ ଭାରତର ବିଜୟର ସବୁ ଆଶା ମଉଳି ଯାଇଥିଲା ।