ବିିଜେଡି ମୂଷାଙ୍କ ଦଳ ! ଯିଏ ସିଂହ ହେବ ସିଏ ବିଦା ହେବ

41

କନକ ବ୍ୟୁରୋ : ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୂଷା ଉପାଖ୍ୟାନ । ପ୍ରମୁଖ ଖବରକାଗଜ ସମ୍ବାଦରେ ପ୍ରବନ୍ଧ ଲେଖି ବିସ୍ଫୋରଣ ସୃଷ୍ଟି କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ବିଜୁ ଜନତା ଦଳରେ ଦେଖାଦେଇଥିବା ଅସ୍ଥିରତାକୁ ଉଦାହରଣ କରି ବିଜେଡି ସୁପ୍ରିମୋଙ୍କ ଆଡକୁ ଛାଡିଛନ୍ତି କଟାକ୍ଷ ବୋମା । ଲେଖିଛନ୍ତି ବିଜେଡି ମୁଖିଆ ନବୀନଙ୍କ ମାନସିକତା ହେଉଛି ମୂଷାମାନଙ୍କ ଦଳ ଗଠନ କରିବା । କାରଣ ବିଜେଡିରେ ଯେଉଁମାନେ ସିଂହ ବା ସିଂହ ହେବାକୁ ପ୍ରୟାସ କରିଛନ୍ତି ତାଙ୍କୁ ବିଜେଡିରୁ ବିଦା ହେବାକୁ ପଡିଛି । ବିଜୟ ମହାପାତ୍ର, ନଳୀନି ମହାନ୍ତି ଓ ରାମକୃଷ୍ଣ ପଟ୍ଟନାୟକଙ୍କୁ ଦଳରୁ ବିଦା କରାଯାଇଥିବା ସେ ଉଦାହରଣ ଦେଇଛନ୍ତି ।

ନିରଞ୍ଜନ ଆହୁରି ଲେଖିଛନ୍ତି ବିଜେଡିରେ ଯିଏ ମୂଷା ହେବାକୁ ମନା କରିବ ତାକୁ ଅପଦସ୍ତ କରାଯିବ । ଏହି କ୍ରମରେ ସେ କେତେଜଣ ବରିଷ୍ଠ ବିଜେଡି ନେତାଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ।

ଭର୍ତୃହରି
ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପୁଅ ଭର୍ତୃହରି ମହତାବଙ୍କୁ କଭିଳି ଦଳ ଭିତରେ ବୟାନବାଜିରେ ଅପଦସ୍ତ କରାଯାଉଛି ତାର ଅବତାରଣା କରିଛନ୍ତି ନିରଞ୍ଜନ ।

ବୈଜୟନ୍ତ
କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରେ ଧିରେଧିରେ କୋଣଠେସା ହୋଇଯାଉଥିବା ଉଦାହରଣ ମଧ୍ୟ ଦେଇଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ଏପରିକି ସେ ବିଜେଡିରେ ନଥିଲା ପରି ଅନୁଭବ ହେଉଥିବା ଲେଖିଛନ୍ତି ।

ଅନଙ୍ଗଉଦୟ
ନିଜଠାରୁ କନିଷ୍ଠ ନେତାଙ୍କ ଅଧିନରେ କାମ କରୁଥିବା ଅନଙ୍ଗ ଉଦୟ ସିଂଦେଓ ମଧ୍ୟ ଦଳରେ ପ୍ରଭାବ ହରାଇଥିବା ନିରଞ୍ଜନ ଇଙ୍ଗିତ କରିଛନ୍ତି । ପ୍ରଶାସନିକ ଦକ୍ଷତା ଥିବା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ କିଭଳି ଦଳରେ ଉପେକ୍ଷିତ ତାହା ସୂଚାଇ ଦେଇଛନ୍ତି ।

ତଥାଗତ
ନବୀନଙ୍କ ଦୟାରୁ ତଥାଗତଙ୍କୁ ମିଳୁଛି ଟିକେଟ ଓ ତାଙ୍କୁ ମଧ୍ୟ ବିଭିନ୍ନ ବାଟରେ ଅପଦସ୍ତ କରାଯାଉଥିବା କଥା ଲେଖିଛନ୍ତି ନିରଞ୍ଜନ । ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ସିଏ ସୁଯୋଗ୍ୟ ସନ୍ତାନ ।

ବିଜୟଶ୍ରୀ
ଏହି କ୍ରମରେ ବି ଯୋଡି ହୋଇଛନ୍ତି ଆଉଜଣେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ । ଦଳୀୟ ବାଧ୍ୟବାଧକତା ତାଙ୍କୁ ମଧ୍ୟ ଚୁପ କରିଦେଇଥିବା ଇଙ୍ଗିତ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ରାଜନୀତିରେ ଦୀର୍ଘ ଦିନର ଅଭିଜ୍ଞତା ଥିବା ନିରଞ୍ଜନ ପଟ୍ଟନାୟକଙ୍କ ବିଜେଡି ସୁପ୍ରିମୋ ନବୀନଙ୍କ ଦଳ ପରିଚାଳନା ନେଇ ଏଭଳି କଟାକ୍ଷ ରାଜନୈତିକ ଆଲୋଡନ ସୃଷ୍ଟି କରିଛି । ପଂଚାୟତ ନିର୍ବାଚନରେ ବିଜେପିର ଅଭ୍ୟୁଦୟ ପରେ ବିଜେଡି ଅନ୍ତଦ୍ଦ୍ୱର୍ନ୍ଦ ଯେଉଁଭଳି ଖୋଲାଖୋଲି ସାମ୍ନାକୁ ଆସିବାରେ ଲାଗିଛି, ସେହି ପରିପ୍ରେକ୍ଷୀରେ ଜଣେ ଅଭିଜ୍ଞ ରାଜନେତାଙ୍କ ଏହି ମୂଷା ଉପାଖ୍ୟାନ ଚର୍ଚ୍ଚା ପାଇଁ ଅଧିକ ଖୋରାକ ଯୋଗାଇଛି ।