କଳାହାଣ୍ଡି : ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ

27

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ବି ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ । ଜୁନାଗଡରେ ପୋଲ ଉପରେ ଚାଲୁଛି ବନ୍ୟାପାଣି । ଫଳରେ ନଦୀ ନିକଟବର୍ତ୍ତି ୨୦ରୁ ଅଧିକ ଗାଁ ଜଳମଗ୍ନ ହେବା ଆଶଙ୍କା ଉପୁଜିଛି । ୨୪ ଘଂଟାରେ ୪ଶହ ମିଲିମିଟରରୁ ଅଧିକ ବର୍ଷା ଫଳରେ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷାପାଣି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଥୁଆମୂଳ ରାମପୁର ବ୍ଲକ ।

ପାହାଡରୁ ଅତଡା ଖସି ଘର ଭାଙ୍ଗିବା ସହ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ହାତୀନଦୀକୁ ଲାଗିରହିଥିବା କଲମପୁର ବ୍ଲକର ୧୬ଟି ଗାଁ ଓ ଜୁନାଗଡ ବ୍ଲକର ୮ଟି ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ, ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଫଳରେ ଏସବୁ ଅଂଚଳ ଜଳମଗ୍ନ ହେବା ଆଶଙ୍କା କରାଯାଉଛି । ଲୋକଙ୍କ ଘର ଭିତରେ ବର୍ଷାପାଣି ପ୍ରବେଶ କରିଛି ।

ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛି ଜିଲ୍ଲା ପ୍ରଶାସନ । ବିଡିଓମାନଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ହାତୀ ନଦୀ ଆଖପାଖ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ନାଗାବଳୀ ନଦୀରେ ୬ ଫୁଟ ପାଣି ପ୍ରବାହିତ ହେଉଥିବାବେଳେ ପେଟଫୁଲା ନଦୀରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।