ରାହୁଲ ଗାନ୍ଧୀଙ୍କୁ ମନେଇବାରେ ଲାଗିପଡିଛି କଂଗ୍ରେସ । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ହୋଇପାରେ ଡେରି ।

107

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ଏବେ ବି ଅମଙ୍ଗ ହେଇ ରହିଛନ୍ତି । ଯେଉଁ କାରଣରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଡେରି ହେଉଛି । ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ବି ନିର୍ବାଚନ ଲଢିବେ କି ନାହିଁ ସେ ନେଇ ସ୍ପଷ୍ଟ କରିନାହାଁନ୍ତି । ଯେଉଁ କାରଣରୁ କଂଗ୍ରେସ କାର୍ଯ୍ୟସମିତିର ବୈଠକ ମଧ୍ୟ ଡକାଯାଉନାହିଁ, ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେଉନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱାଧୀନ କଂଗ୍ରେସ ନିର୍ବାଚନ ପ୍ରାଧିକରଣର କହିବା କଥା, ସମୟରେ ହିଁ ନିର୍ବାଚନ ହେବ । ପାର୍ଟିର ପୂର୍ବ ଘୋଷଣା ମୁତାବକ, ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୧ ତାରିଖରେ ନିର୍ବାଚନ ଆରମ୍ଭ ହେବା କଥା, ଆଉ ସେପ୍ଟେମ୍ବର ୨୦ ତାରିଖ ଭିତରେ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବା କଥା । ହେଲେ ଏପର୍ଯ୍ୟନ୍ତ ତାହା ହୋଇନାହିଁ । ଏପରିକି ଅଗଷ୍ଟ ୨୦ ତାରିଖ ଭିତରେ ରାଜ୍ୟମାନଙ୍କରେ ପିସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଚୟନ ହେବା କଥା, ହେଲେ ତାହା ହୋଇନାହିଁ ।

ଉତ୍ତର ପ୍ରଦେଶ, ବିହାର ଭଳି କିଛି ରାଜ୍ୟରେ ଗଲା ବହୁ ଦିନ ଧରି ଅଧ୍ୟକ୍ଷ ହିଁ ନାହାଁନ୍ତି । ବିହାରରେ ପିସିସି ସଭାପତି ଇସ୍ତଫା ଦେବା ପରେ ସେଠାରେ ମଦନ ମୋହନ କାମ ଦେଖାରେଖା କରୁଛନ୍ତି । ଏପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଲାଗି ରହିଥିବା ଅମସଞ୍ଜସ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ସେପ୍ଟେମ୍ବର ୭ ତାରିଖରୁ ଭାରତ ଯୋଡ ଯାତ୍ରାର ଆରମ୍ଭ କରୁଛନ୍ତି । ଯାହାକି କନ୍ୟାକୁମାରୀରୁ ଆରମ୍ଭ ହେବାର ଅଛି । ତେଣୁ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ହୋଇନଥିବା ମଧ୍ୟ କୁହାଯାଉଛି ।