ଝାଡଖଣ୍ଡ କଂଗ୍ରେସର ବଡ ଆକ୍ସନ, ଜାଣନ୍ତୁ କାହିଁକି ସସ୍ପେଣ୍ଡ ହେଲେ ଦଳର ୩ ବିଧାୟକ

380

କନକ ବ୍ୟୁରୋ : ଗୋଟିଏ ପଟେ ସାରା ଦେଶରେ କଂଗ୍ରେସର ଲୋକପ୍ରିୟତା କମିବାରେ ଲାଗିଥିବା ବେଳେ ଆଜି ପୁଣି ଝାଡଖଣ୍ଡ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ଦଳର ୩ ବିଧାୟକ ଏକ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଦଳ ତରଫରୁ ତୁରନ୍ତ ଆକ୍ସନ ନିଆଯାଇ ଗାଡିରେ ଥିବା ୩ ଜଣ ଯାକ ବିଧାୟକଙ୍କୁ ଦଳ  ସସ୍ପେଣ୍ଡ କରିଛି ।

ସୂଚନା ମୁତାବକ ଝାଡଖଣ୍ଡର କଂଗ୍ରେସର ବିଧାୟକ ରାଜେଶ କଚ୍ଛପ, ନମନ ବିକ୍ସେଲ କୋଙ୍ଗାରୀ ଓ ଇରଫାନ ଅନସାରୀ ଏକ କାରରେ ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ହାଓଡା ଠାରେ ଅଟକାଇଥିଲା । ସେମାନଙ୍କ କାରରୁ ଏତେ ଟଙ୍କା ଜବତ ହୋଇଛି କି ଟଙ୍କା ଗଣିବା ପାଇଁ ମେସିନର ଆବଶ୍ୟକତା ପଡିଲା ।

ଏଭଳି ଖବର ପ୍ରଚାରିତ ହେବା ପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି କଂଗ୍ରେସ ବିଧାୟକଙ୍କ ସହାୟତାରେ ବିଜେପି ପଶ୍ଚିମବଙ୍ଗରେ ସେହି ଖେଳ ଖେଳିବାକୁ ଯାଉଛି ଯାହା ମହାରାଷ୍ଟ୍ରରେ ଖେଳା ଯାଇଥିଲା ।

 

ସେପଟେ କଂଗ୍ରେସ ବିଧାୟକଙ୍କ ଗାଡିରୁ ଟଙ୍କା ମିଳିବା ପରେ ଦଳ ତରଫରୁ ସେହି ୩ ଜଣ ବିଧାୟକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ସଂପୃକ୍ତ ୩ ଜଣ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଛି । ଏହାସହ ଝାଡଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ରାଜେଶ ଠାକୁର କହିଛନ୍ତି କି ଏହି ଷଡଯନ୍ତ୍ର ପଛରେ ବିଜେପିର ହାତ ରହିଛି ।