ମହାରାଷ୍ଟ୍ରରେ ଖୁବଶୀଘ୍ର କ୍ୟାବିନେଟ ବିସ୍ତାର । ଭାଗବଣ୍ଟା ନେଇ ଦିଲ୍ଲୀରେ ସିନ୍ଦେ ଓ ଫର୍ଡନଭିସ

80

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ଶିବସେନାର ବିଦ୍ରୋହୀ ଓ ବିଜେପି ମେଣ୍ଟର ସରକାର ଗଠନ ହେବାର ୧ମାସ ହୋଇଗଲାଣି । ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ କ୍ୟାବିନେଟ ବିସ୍ତାର ହୋଇପାରି ନାହିଁ । ଏହି କ୍ରମରେ ତୁରନ୍ତ କ୍ୟାବିନେଟ ବିସ୍ତାର କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାଭିସ ଗୁପ୍ତ ଭାବେ ଦିଲ୍ଲୀ ଯାଇଥିବା ଖବର ଏବେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅନେକ କଥା ଆକଳନ କରାଯାଉଛି ।

ସେପଟେ କ୍ୟାବିନେଟରେ କାହାକୁ କେତେ ମନ୍ତ୍ରୀପଦ ମିଳିବ ତାହା ନେଇ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରଥମେ କୁହାଯାଉଥିଲା କି ୬୫-୩୫ ଆଧାରରେ କ୍ୟାବିନେଟ ବିସ୍ତାର କରାଯିବ । ଅର୍ଥାତ ବିଜେପି ଖାତାରେ ୬୫ ପ୍ରତିଶତ ମନ୍ତ୍ରୀ ରହିବେ ଓ ଶିବସେନା ବିଦ୍ରୋହୀଙ୍କ ଖାତରେ ୩୫ ପ୍ରତିଶତ ମନ୍ତ୍ରୀ ରହିବେ । ହେଲେ ଏବେ ରାଜନୈତିକ ବିଶ୍ଳେଷକମାନେ ଆକଳନ କରୁଛନ୍ତି କି, ୫୦-୫୦ ଆଧାରରେ କ୍ୟାବିନେଟ ବିସ୍ତାର କରାଯିବ । ହେଲେ ଯଦି ବିଧାୟକଙ୍କ ସଂଖ୍ୟା ଦେଖିବା ତେବେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଯେତିକି ବିଧାୟକ ରହିଛନ୍ତି ସେହି ତୁଳନାରେ ବିଜେପି ପାଖରେ ଦୁଇଗୁଣାରୁ ଅଧିକ ବିଧାୟକ ରହିଛନ୍ତି । ସେପଟେ ଦୁଇଗୁଣା ବିଧାୟକ ଥାଇ ବି ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଛି । ଏହି କ୍ରମରେ ବିଜେପି ନିଶ୍ଚିନ୍ତ ଭାବେ ଅଧିକ ମନ୍ତ୍ରୀପଦ ଦାବି କରିବ ବୋଲି ଅନୁମାନ କରାଯାଉଛି ।

ଆପଣଙ୍କୁ କହିରଖୁ କି ଶିବସେନା ସହ ବିଦ୍ରୋହ କରିବା ପରେ ଜୁନ ୩୦ ତାରିଖରେ ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଛନ୍ତି । ହେଲେ କ୍ୟାବିନେଟ ବିସ୍ତାରରେ ଏତେ ଡେରି ହେଉଥିବାରୁ ଆକଳନ କରାଯାଉଛି କି, ବିଜେପି ଓ ସିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ ।