ରଦ୍ଦ ହେଲା ରାହୁଲଙ୍କ ସାଂସଦ ପଦ, କଂଗ୍ରେସ କହିଲା ଲଢେଇ ଜାରି ରହିବ । ଜୟରାମ ରମେଶ କହିଲେ, ଭାରତୀୟ ଗଣତନ୍ତ୍ର ଓମ ଶାନ୍ତି ।

198

କନକ ବ୍ୟୁରୋ : ରଦ୍ଦ ହେଲା ରାହୁଲଙ୍କ ସାଂସଦ ପଦ । ମୋଦୀ ସରନେମକୁ ନେଇ ଦେଇଥିବା ବୟାନରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ସଭ୍ୟ ପଦ ହରାଇବାକୁ ପଡିଛି । ଏନେଇ ଲୋକସଭାର ସଚିବାଳୟରୁ ନୋଟିଫିକେସନ ପ୍ରକାଶ ପାଇଛି । ୨ ବର୍ଷ ସଜା ମିଳିବା କାରଣରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଛି । ଗୋଟିଏ ପଟେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଟ୍ୱିଟ୍ କରି କହିଛି, ରାହୁଲ ଦେଶବାସୀଙ୍କ ପାଇଁ ସଡକରୁ ସଂସଦ ଯାଏଁ ଲଢେଇ କରୁଥିଲେ, ଲୋକତନ୍ତ୍ରକୁ ବଞ୍ଚାଇବାକୁ ଯଥାସମ୍ଭବ ପ୍ରୟାସ କରୁଥିଲେ । ଷଡଯନ୍ତ୍ର ସତ୍ତେ୍ୱ ମଧ୍ୟ ଏହି ଲଢେଇ ଜାରି ରହିବ ଏବଂ ଏହି ମାମଲାର ନ୍ୟାୟସଙ୍ଗତ ପଦକ୍ଷେପ ନେବୁ ।

ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଛି । ସତ କହୁଥିବା ଓ ଜନତାଙ୍କ ହକ୍ ପାଇଁ ଲଢେଇ କରୁଥିବା ରାହୁଲଙ୍କ ସ୍ୱର ଚାପିବାକୁ ସଦସ୍ୟତା ପଦ ରଦ୍ଦ ହୋଇଛି ।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି,  ଆମେ ଉଭୟ ଆଇନଗତ ଓ ରାଜନୈତିକ ଢଙ୍ଗରେ ଲଢେଇ କରିବୁ । ଆମେ ଚୁପ୍ ବସିବୁନି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ  ଠାରୁ ଆରମ୍ଭ କରି ଅଦାନୀ ମହାଘୋଟଲା ପ୍ରସଙ୍ଗରେ ଜେପିସି ଗଠନ କରିବା ପ୍ରସଙ୍ଗରେ ଚୁପ୍ ବସିବନି ଦଳ । ଭାରତୀୟ ଗଣତନ୍ତ୍ର ଓମ୍ ଶାନ୍ତି ।

ସେହିଭଳି ଦଳର ବରିଷ୍ଠ ନେତା ଦିଗବିଜୟ ସିଂ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ବିଜେପି ଡରୁଛି । ସେଥିପାଇଁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଛି । ରାହୁଲ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବାରୁ ଅକଳରେ ପଡୁଛି ବିଜେପି । ତେଣୁ ରାହୁଲଙ୍କ ମୁହଁ ଚୁପ୍ କରିବାକୁ ଏଭଳି ପ୍ରୟାସ ବିଜେପି ପକ୍ଷରୁ କରାଯାଇଛି ବୋଲି କହିଛନ୍ତି ଦିଗବିଜୟ ସିଂ ।