ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ଘଟଣା : କଂଗ୍ରେସ ଡାକିଲା ଜରୁରୀ ବୈଠକ; ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ହୋଇପାରେ ଆଲୋଚନା 

173

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି ଓ ସିଏଲପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଅଧ୍ୟକ୍ଷତା କରିବେ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ବୈଠକରେ ଆଲୋଚନା ହୋଇପାରେ । ବିଭିନ୍ନ ରାଜ୍ୟରେ ଏନେଇ ପ୍ରତିବାଦ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିପାରେ ଦଳ ।

ପାର୍ଲାମେଣ୍ଟ ହାଉସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ମଧ୍ୟ ଦଳ ଯୋଜନା କରୁଥିବା ସୂଚନା ମିଳିଛି । ପଦଯାତ୍ରା ପରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇପାରେ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସରନେମ୍’କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି । ଏସଂକ୍ରାନ୍ତ ମାନହାନି ମାମଲାରେ ସୁରଟ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କୋର୍ଟ ତାଙ୍କୁ ତତକ୍ଷଣାତ୍ ଜାମିନ୍ ପ୍ରଦାନ କରିବା ସହ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।