ସରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୨୨ଟି ସ୍ୱର୍ଣ୍ଣ ସମେତ ମୋଟ ୬୧ ପଦକ ସହ ଅଭିଯାନ ଶେଷ କଲା ଭାରତ

236

କନକ ବ୍ୟୁରୋ : ବର୍ମିଂହାମରେ ଶେଷ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ । ଏହି ସମ୍ମାନଜନକ କ୍ରୀଡ଼ାର ଶେଷ ଦିନରେ ମଧ୍ୟ କମାଲ କରିଦେଖାଇଛି ଭାରତ । ସୋମବାର ଏକାଦଶ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ପୁରୁଷ ହକିରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ଭାରତ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ମୋଟ ୬୧ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି । ଶେଷ ଦିନରେକ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସରେ ଭାରତକୁ ଦୁଇଟି ଲେଖାଏ ସ୍ୱର୍ଣ୍ଣ ପଦକ ମିଳିଛି ।

ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ହଳଦିଆ ପଦକ ଲାଭ କରିଛନ୍ତି । ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁ କାନାଡା ପ୍ରତିଦ୍ୱନ୍ଦ୍ୱୀ ମିଚେଲ ଲି’ଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ପ୍ରଥମ ଗେମରେ ପଛୁଆ ରହିବା ପରେ ଲକ୍ଷ୍ୟ ସେନ୍ ଜବରଦସ୍ତ ପ୍ରତ୍ୟାବର୍ତନ କରି ମୁକାବିଲାକୁ ଜିତି ନେଇଥିଲେ । ସେ ଫାଇନାଲରେ ମାଲେସିଆର ଏନଜି ଟି ୟୋଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ ଗେମରେ ହରାଇଥିଲେ । ଏହା ମଧ୍ୟ ତାଙ୍କର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଥିଲା ।

ଟେବୁଲ ଟେନିସ୍ ପାଇଁ ମଧ୍ୟ ସ୍ୱର୍ଣ୍ଣିମ ଦିନ ଥିଲା । ପୁରୁଷ ସିଙ୍ଗଲ୍ସରେ ଭେଟେରାନ୍ ଅଚନ୍ତା ଶରତ କମଲ ନିଜ ନାଁରେ ଆଉଏକ ସ୍ୱର୍ଣ୍ଣ ପଦକ କରିଛନ୍ତି । ଭାରତର ଏହି ଅଭିଜ୍ଞ ଖେଳାଳି ଫାଇନାଲରେ ଇଂଲଣ୍ଡର ଲିଆମ ପିଚଫୋର୍ଡଙ୍କୁ ମାତ୍ ଦେଇଛନ୍ତି । ଅଚନ୍ତା ମ୍ୟାଚକୁ ୧୧-୧୩, ୧୧-୭, ୧୧-୨, ୧୧-୭ରେ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ସେ ପୁରୁଷ ଟିମ୍ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ଏହି ଏକ ନମ୍ବର ଯୋଡ଼ି ଫାଇନାଲରେ ଇଂଲଣ୍ଡର ଲେନ୍ ଓ ୱେଣ୍ଡିଂଙ୍କ ଯୋଡ଼ିଙ୍କୁ ହରାଇଛନ୍ତି । ପୁରୁଷ ହକି ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଙ୍ଗାରୁ ଟିମ୍ ଏକତରଫା ପ୍ରଦର୍ଶନ କରି ୭-୦ ଗୋଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ କବଜା କରିଛି ।

ବ୍ରିଟିଶ୍ ସାମ୍ରାଜ୍ୟରୁ ଭାରତର ପଦକ

– ଶେଷ ହୋଇଛି ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା
– ମୋଟ୍ ୬୧ ପଦକ ସହ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି ଭାରତ
– ଭାରତକୁ ମିଳିଛି ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ
-୧୯୩୦ରେ ପ୍ରଥମେ ଆରମ୍ଭ ହୋଇଥିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା
– ଭାରତ ଏଥିରେ ଅଂଶଗ୍ରହଣ କରିନଥିଲା
-୧୯୩୪ରେ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଲା ଭାରତ
– ମାତ୍ର ଗୋଟିଏ ପଦକ ସହ ତାଲିକାର ଦ୍ୱାଦଶ ସ୍ଥାନରେ ରହିଥିଲା
– ମୋଟ୍ ୨୨ଟି ସଂସ୍କରଣରୁ ୪ଟିରେ ଅଂଶଗ୍ରହଣ କରିନାହିଁ ଭାରତ
– ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା
– ମୋଟ୍ ୧୦୧ଟି ପଦକ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା
– ଆୟୋଜକ ଭାରତକୁ ମିଳିଥିଲା ୩୮ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୩୬ଟି କାଂସ୍ୟ ପଦକ
-୨୦୦୨ରେ ଇଂଲଣ୍ଡରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଭାରତ
– ମୋଟ୍ ୬୯ ପଦକ ସହ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା
– ଭାରତକୁ ମିଳିଥିଲା ୩୦ ସ୍ୱର୍ଣ୍ଣ, ୨୨ ରୌପ୍ୟ ଓ ୧୭ଟି କାଂସ୍ୟ ପଦକ
– ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଏଯାଏଁ ଭାରତକୁ ମିଳିଲାଣି ମୋଟ୍ ୫୬୪ ପଦକ
-୨୦୩ ସ୍ୱର୍ଣ୍ଣ, ୧୯୦ ରୌପ୍ୟ ଓ ୧୭୧ କାଂସ୍ୟ ପଦକ ପାଇଛି ଭାରତ
– ସୁଟିଂରୁ ଭାରତକୁ ମିଳିଛି ସବୁଠୁ ଅଧିକ ପଦକ
– ୬୩ ସ୍ୱର୍ଣ୍ଣ, ୪୪ ରୌପ୍ୟ ଓ ୨୮ କାଂସ୍ୟ ସହ ସୁଟିଂରୁ ମିଳିଛି ୧୩୫ ପଦକ
– କୁସ୍ତିରୁ ୧୧୪, ଭାରୋତୋଳନରୁ ୧୩୩, ବକ୍ସିଂରୁ ୪୪, ବ୍ୟାଡମିଣ୍ଟନରୁ ୩୧
– ଦେଶ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୦୦ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପିଭି ସିନ୍ଧୁ