ଯୁକ୍ତ ୩ପରୀକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ : ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା

410

କନକ ବ୍ୟୁରୋ : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା । ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା । ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଖାତା ଦେଖା ପାଇଁ ମୂଲ୍ୟାୟନକାରୀଙ୍କୁ ମିଳୁଥିବା ଅର୍ଥ ବଢ଼ାଯିବ । ଏଥିସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି ପାଇବ । ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିଲା । ଏଣିକି ୧୦୦୦ ଟଙ୍କା ମିଳିବ ।

ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶରେ ବିଳମ୍ବକୁ ନେଇ ମନ୍ତ୍ରୀ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ । କେଉଁ କାରଣ ଯୋଗୁଁ ପ୍ରତିବର୍ଷ ଫଳ ପ୍ରକାଶରେ ବିଳମ୍ବ ହେଉଛି ସେନେଇ ପରୀକ୍ଷା‌ ନିୟନ୍ତ୍ରକମାନଙ୍କଠାରୁ ଉତ୍ତର ଚାହିଁଥିଲେ । ମୂଲ୍ୟାୟନରେ ବିଳମ୍ବ ହେଉଥିବାରୁ ଫଳ ଡେରିରେ ବାହାରୁଛି ବୋଲି ଜାଣିବାକୁ ପାଇଥିଲେ। ତେଣୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ୧୨ରୁ ୧୫ଟି କଲେଜକୁ ନେଇ ଗୋଟିଏ ଲେଖାଏ ମୂଲ୍ୟାୟନ କେନ୍ଦ୍ର ହେବ । ଏଥିସହ ପ୍ରଶ୍ନପତ୍ର ସେଟ୍‌ ମଧ୍ୟ ବୃଦ୍ଧି କରାଯିବ । ଗୋଟିଏ ସମୟରେ ଏକା‌ଧିକ ପାଠ୍ୟକ୍ରମର ଖାତା ମୂଲ୍ୟାୟନ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଖାତା ଦେଖା ସମୟରେ ଯେମିତି ଉପଯୁକ୍ତ ବ୍ୟବଧାନ ରଖାଯାଇପାରିବ ସେନେଇ ପରୀକ୍ଷା ନିୟନ୍ତ୍ରକମାନଙ୍କୁ ପରାମର୍ଶ ଦିଆଯାଇଛି ।

ପରୀକ୍ଷା ସରିବାର ଅତିବେଶିରେ ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ୩୦ରୁ ୩୫ ଦିନ ମଧ୍ୟରେ କିଭଳି ଫଳ ବାହାରିବ ତାହାକୁ ପ୍ରାଥମିକତା ଦେବାକୁ ନିର୍ଦେଶ ଦେଇଥିଲେ । କୃତକାର୍ୟ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ବିଳମ୍ବରେ ସାର୍ଟିଫିକେଟ୍‌ ମିଳୁଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ବର୍ଷକ ଭିତରେ ଯେପରି ଛାତ୍ରଛାତ୍ରୀ ପ୍ରକୃତ ସାର୍ଟିଫିକେଟ୍‌ ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ । ସଂଶୋଧିତ ସିଲାବସ୍‌ ଓ ପ୍ରଶ୍ନପତ୍ର ପରିବର୍ତନ ସମ୍ପର୍କରେ ବିଶ୍ବବିଦ୍ୟାଳୟଗୁଡ଼ିକ କଲେଜଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ଏହାବ୍ୟତୀତ ବିଏଡ୍‌ ପରୀକ୍ଷା ନିର୍ଦ୍ଧା‌ରିତ ସମୟ ମଧ୍ୟ‌ରେ ଶେଷ କରି ଫଳ ବାହାର କରିବାକୁ କୁହାଯାଇଥିଲା ।