ଜିଲ୍ଲାପାଳ ହେବ ତ ଏମିତି ! ପାଣିଭର୍ତ୍ତି ବାଲଟି ଧରିଲେ, ଝାଡୁ ଉଠାଇଲେ । କେହି କିଛି ଭାବିବା ପୂର୍ବରୁ ସ୍କୁଲର ଟଏଲେଟ ସଫା କଲେ, ଛାତ୍ର ମାନଙ୍କୁ ଗାଧୋଇଦେଲେ

56

ଦେଶରେ ସ୍ୱଚ୍ଛତା ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର । ଆଉ ଏଥିପାଇଁ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ ବିହାର ମୋତିହାର ଜିଲ୍ଲାର ଜିଲ୍ଲାପାଳ ରମଣ କୁମାର ସ୍ୱଚ୍ଛତାକୁ ନେଇ ଏଭଳି ଏକ କାମ କରିଛନ୍ତି ଯାହାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଜିଲ୍ଲାପାଳ ହୋଇଥିଲେ ମଧ୍ୟ ଟଏଲେଟ ସଫା କରି ପୂରା ଅଞ୍ଚଳରେ ନୂଆ ମିସାଲ ସୃଷ୍ଟି କରିଛନ୍ତି ରମଣ ।

ରମଣ କୁମାର । ବିହାର ମୋତିହାରି ଜିଲ୍ଲାର ଜିଲ୍ଲାପାଳ । କିନ୍ତୁ ହାତରେ ଝାଡୁ ଓ ତଉଲିଆ ଧରିବା ପରେ ପୂରା ଅଞ୍ଚଳରେ ଏକ ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଛନ୍ତି । ଜିଲ୍ଲାପାଳ ଭାବେ ଗୋଟିଏ ସ୍କୁଲକୁ ପରିଦର୍ଶନରେ ଯାଇଥିବା ବେଳେ ତାଙ୍କର ନଜର ପଡିଥିଲା ସ୍କୁଲର ଟଏଲେଟ ଓ ରୋଷେଇ ଘର ଉପରେ । ସ୍କୁଲ ପରିସର ଅପରିଷ୍କାର ପଡିଥିବା ଦେଖି ହାତରେ ଝାଡୁ ଓ କୋଦାଳ ଉଠାଇଥିଲେ ଜିଲ୍ଲାପାଳ । ସ୍କୁଲର ଶ୍ରେଣୀ ଗୃହ, ରୋଷେଇ ଘର ସଫା କରିବା ପରେ ଟଏଲେଟ ମଧ୍ୟ ସଫା କରିବାକୁ ପଛାଇନଥିଲେ ଜିଲ୍ଲାପାଳ । ନିଜେ ବାଲଟିରେ ପାଣି ଆଣି ଟଏଲେଟକୁ ପୂରା ସଫା କରିଥିଲେ ରମଣ । ଜିଲ୍ଲାପାଳଙ୍କୁ ଟଏଲେଟ ସଫା କରୁଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ କ୍ଲାସ ରୁମରେ ଛାତ୍ରଛ୍ରାତୀଙ୍କ ସହ ଆଲୋଚନା କରିବା ସମୟରେ କିଛି ଛାତ୍ର ଗାଧୋଇ ନଥିବା ଜାଣିବାକୁ ପାଇଥିଲେ ଜିଲ୍ଲାପାଳ । ଆଉ ଡେରି ନକରି ଉକ୍ତ ଛାତ୍ର ମାନଙ୍କୁ ଡାକି ଗାଧୋଇଦେବା ସହ ଗାମୁଛାରେ ପୋଛି ଦେଇଥିଲେ । ତେବେ ଏହାପରେ ଶିକ୍ଷକ ମାନଙ୍କର କ୍ଲାସ ନେଇଥିଲେ ରମଣ । ଛାତ୍ରଛାତ୍ରୀ ମାନଙ୍କୁ ଅନୁଶାସିତ କରିବା, ଭଲ ପାଠ ପଢାଇବା ଏପରିକି ସେମାନେ କିଭଳି ସ୍ୱଚ୍ଛ ଓ ସୁସ୍ଥ ରହିବେ ତାହା ଜଣାଇବା ଶିକ୍ଷକ ମାନଙ୍କ ଦାୟିତ୍ୱ । ଏହାଛଡା ଅଭିଭାବକ ମାନେ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ । ଦେଶର ଉନ୍ନତି ପଥରେ ଛାତ୍ରଛାତ୍ରୀମାନଙ୍କର ଗୁରୁଦାୟିତ୍ୱ ରହିଛି । ଏହାଛଡା ଅଭିଭାବକ ମାନେ କେବଳ ସ୍କୁଲ ମିଳୁଥିବା ସାଇକେଲ, ମଧ୍ୟାହ୍ନ ଭୋଜନ ଓ ଅନେକ ସରକାରୀ ସୁବିଧା ପାଇବା ଆଶାରେ ନୁହେଁ ବରଂ ଶିକ୍ଷା ସମ୍ପର୍କରେ ଜ୍ଞାନ ଆରୋହଣ କରିବା ଆବଶ୍ୟକ ବୋଲି ରମଣ କହିଥିଲେ ।