କନକ ବ୍ୟୁରୋ : ବିଗତ ପ୍ରାୟ ଏକ ସପ୍ତାହ ଧରି ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ଓ ଜାଡ଼ରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର କୌଣସି ପ୍ରକାରର ସମ୍ଭବନା ନଥିବା ସ୍ପଷ୍ଟ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀ ଆସନ୍ତା ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁର ଜିଲ୍ଲାରେ ଥଣ୍ଡାର ପ୍ରକୋପ ଅଧିକ ବଢ଼ିବା ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ୫ଟି ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ସମେତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜାରି ରହିଥିବା ଶୀତ ଲହରି ପୂର୍ବବତ୍ ଜାରି ରହିବ। ମଧ୍ୟରାତ୍ର ପରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ପ୍ରବଳ ମାତ୍ରାରେ କରକାପାତ ହେବା ସହ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ତେଣୁ, ଏହାକୁ ଦୃଷ୍ଯିରେ ରଖି ବିଳମ୍ବିତ ରାତ୍ରରେ ଗାଡ଼ିରେ ଯାତାୟାତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।