ବାହାନଗା ଦୁର୍ଘଟଣାରେ ଘରର ମୁରବୀଙ୍କୁ ହରାଇ ହତାଶ ପରିବାର ଲୋକେ । କ୍ଷତିପୂରଣ ନୁହେଁ ଚାକିରି ପାଇଁ ହେଉଛି ଦାବୀ । ଘରର ଜଣଙ୍କୁ ହୋମଗାର୍ଡ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

164

କନକ ବ୍ୟୁରୋ: ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ କ୍ଷତିପୂରଣ ଭାବେ କେବଳ ଆର୍ଥିକ ସହାୟତା ନୁହେଁ ବରଂ ତାଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ଅନୁରୋଧ କରିବା ପରେ ଏଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସହାୟତା ଯୋଗାଇବା ସହ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

କରମଣ୍ଡଳ ଦୁର୍ଘଟଣାକୁ ୬ଦିନ ବିତିଛି । ନିଜ ଆତ୍ମୀୟଙ୍କୁ ହରାଇଥିବା ଲୋକଙ୍କୁ ସହାୟତା ବାବଦରେ ଟଙ୍କା ଦିଆଯାଉଛି । କିନ୍ତୁ ଏହି ଟଙ୍କା କଣ ହେବ ଏବଂ ଟଙ୍କା ନୁହେଁ ଚାକିରି ଦେବାକୁ କହିଛନ୍ତି ମୃତକଙ୍କ ପରିବାର । ଗତ ଶୁକ୍ରବାରର କରମଣ୍ଡଳ ଦୁର୍ଘଟଣାରେ ପରିବାରର ମୁରବୀଙ୍କୁ ହରାଇଥିବା ଲୋକେ ଏବେ କେମିତି ପରିବାର ଚଳାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି । ତେବେ ମୃତକଙ୍କ ପରିବାରକୁ ମିଳୁଥିବା ସହାୟତା ରାଶି କଣ ହେବ ବରଂ ଚାକିରି ଦିଆଯାଉ ବୋଲି କହିଛନ୍ତି । କାରଣ ଏଥିରେ ଏମି୍ତି ଅନେକ ପରିବାର ରହିଥିଲେ ଯେଉଁମାନେ ଚେନ୍ନାଇ କିମ୍ବା କେରଳକୁ କାମ କରିବାକୁ ଯାଉଥିଲେ । ଆଉ ଘରର ରୋଜଗାରିଆ ସଦସ୍ୟକୁ ହରାଇବାର ଦୁଃଖ ଭିତରେ ପରିବାରକୁ କେମିତି ଚଳିବେ ସେହି ଚିନ୍ତା ଘାରିଛି । ତେଣୁ ଚାକିରି ଯୋଗାଇ ଦେବା ପାଇଁ ପରିବାର ସଦସ୍ୟ କହିଛନ୍ତି ।